ଚଳିତ ବର୍ଷ ଅଲିଭରିଡଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଗଣଅଣ୍ଡାଦାନ ବିଲକୁଲ ହୋଇପାରି ନାହିଁ ଏବର୍ଷ । ଅଣ୍ଡା ନଦେଇ ଫେରିଛନ୍ତି କଇଁଛ । ଏପ୍ରିଲ ଯାଇ ମେ’ ସରିବାକୁ ବସିଲାଣି । ଦୀର୍ଘ ଅଢ଼େଇ ମାସ ଧରି କୂଳରୁ ୫୦୦ ମିଟର ଯାଏ ଲକ୍ଷାଧିକ କଇଁଛ ଠୁଳ ହୋଇଥିଲେ ସତ । ହେଲେ ଅଣ୍ଡାଦାନ କରିନଥିଲେ । ଏବେ ୨ ସପ୍ତାହ ହେବ କଇଁଛଙ୍କୁ ଦେଖିବାକୁ ମିଳୁନି । ଏହିଭଳି ସମସ୍ୟା ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା ରେ ଦେଖାଦେଇଛି | ଫ୍ଲାଟବ୍ୟାକ୍ସ, ଲଗରହେଡସ, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍ସ, ହକ୍ସବିଲସ, କେମ୍ପସ ରିଡ୍ଲେ ଓ ଅଲିଭ ରିଡ୍ଲେ ଆଦି କଇଁଛ ସାମୂହିକ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଏକମାତ୍ର ଅଲିଭ ରିଡ୍ଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଆସିଥାନ୍ତି। ଚଳିତ ବର୍ଷ ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣରେ ଅଣ୍ଡାଦାନ ହୋଇଥିବା ବେଳେ ଗହୀରମଥା ନିରାଶ କରିଛି। ୨୦୧୪ ମସିହା ଭଳି ଚଳିତବର୍ଷ ଏହି ସାମୁଦ୍ରିକ ପ୍ରାଣୀ ଅଣ୍ଡାଦାନ ନ କରି ଫେରି ଯାଇଛନ୍ତି। ଓଡ଼ିଶାକୁ ଗଣଅଣ୍ଡାଦାନ କରିବାକୁ ଆସୁଥିବା କଇଁଛଙ୍କ ଭିତରୁ ପ୍ରତିବର୍ଷ ୫୦%ରୁ ଅଧିକ ଅଲିଭରିଡଲେ ରାଜ୍ୟର ଏହି ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ଆସିଥାନ୍ତି । ସମୁଦ୍ରର ନୀଳ ଜଳରାଶିରେ ସେମାନଙ୍କ ମିଳନ ପରେ ବେଳାଭୂମିର ବାଲୁକା ଶଯ୍ୟାରେ ଲକ୍ଷାଧିକ କଇଁଛ ସମୂହ ଅଣ୍ଡାଦାନ କରିଥାନ୍ତି ।୨୦୨୫ ମସିହା ମାର୍ଚ୍ଚ ମାସ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ କରିଥିଲେ । ପ୍ରତିବର୍ଷ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଅଲିଭରିଡ୍ଲେ କଇଁଛ ଅଣ୍ଡାଦାନ କରିଥାନ୍ତି । ବେଳେବେଳେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ମଧ୍ୟ ସମୂହ ଅଣ୍ଡାଦାନ ହୋଇଥାଏ । ମାତ୍ର ଚଳିତବର୍ଷ ସେଭଳି ନହେବାରୁ ପରିବେଶବିତ୍ମାନେ ଚିନ୍ତାରେ ପଡ଼ିଛନ୍ତି । ଅପରପକ୍ଷରେ ଅଲିଭ ରିଡ୍ଲେଙ୍କ ଜୀବନଯାପନ ପ୍ରଣାଳୀ ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି। ୧୦୦୦ କଇଁଛ ଶାବକ ମଧ୍ୟରୁ ମାତ୍ର ଗୋଟିଏ ବଞ୍ଚିଥାନ୍ତି। ଅନୁକୂଳ ପାଗରେ ଅଣ୍ଡାଦାନ କରିବା ଏମାନଙ୍କ ସ୍ବଭାବ। ଚଳିତ ବର୍ଷ ଅତ୍ୟଧିକ ଗରମ ପାଇଁ ଅଣ୍ଡାଦାନ ସମ୍ଭବ ହୋଇ ନ ଥାଇପାରେ।
ଗହୀରମଥାରେ କଇଁଛଙ୍କ ଗଣଅଣ୍ଡାଦାନ ବିଳମ୍ଵିତ, ଚିନ୍ତାରେ ପରିବେଶବିତ୍
By madhulekha2 Mins Read
