ହାଇଦ୍ରାବାଦର ନାଲ୍ଲାକୁନ୍ତା ଅଞ୍ଚଳରେ ବଡ଼ଦିନ ପୂର୍ବ ରାତିରେ ଏତେ ବଡ଼ ଅପରାଧ ଘଟିଛି । ନିଆଁରେ ଜଳି ଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧା ପୋଡ଼ା ଅବସ୍ଥାରେ ମୃତ୍ୟୁ ସହ ଯୁଝୁଛି କୁନି ଝିଅ ।ତିଲକ ନଗରରେ ଏହି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସ୍ୱାମୀ ତାଙ୍କ ଭଡ଼ା ଘରେ ଜୀବନ୍ତ ଜାଳି ଦେଇଛନ୍ତି । ଜଣେ ହୋଟେଲ କର୍ମଚାରୀ ଭାବେ କାମ କରୁଥିବା ଚିତ୍ୟାଲା ତ୍ରିବେଣୀ ଗାନ୍ଧୀ ହସ୍ପିଟାଲରେ ଆଖି ବୁଜିଛନ୍ତି । ତାଙ୍କ ସ୍ୱାମୀ ୩୨ ବର୍ଷୀୟ ଭେଙ୍କଟେଶଙ୍କୁ ପୁଲିସ୍ ଗିରଫ କରିଛି । ଭେଙ୍କଟେଶ ଦିନ ମଜୁରିଆ ଭାବେ କାମ କରନ୍ତି । ତ୍ରିବେଣୀଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ଏହି ଦମ୍ପତି ୫ ବର୍ଷ ପୂର୍ବେ ବିବାହ କରିଥିଲେ । ଜନ୍ମସ୍ଥାନ ହୁଜୁର ନଗରରୁ ହାଇଦ୍ରାବାଦକୁ ଚାଲି ଆସିଥିଲେ । ସେମାନେ ବର୍ଷେ ତଳେ ତିଲକ ନଗରରେ ଦୁଇ ସନ୍ତାନଙ୍କ ସହ ରହୁଥିଲେ । ଭେଙ୍କଟେଶ ତାଙ୍କ ପତ୍ନୀଙ୍କୁ ଅନେକ ବର୍ଷ ଧରି ପରକୀୟା ସମ୍ପର୍କ ଥିବା ଅଭିଯୋଗ କରି ହଇରାଣ କରୁଥିଲେ । ସନ୍ଦେହ ଏତେ ବଢିଯାଇଥିଲା ଯେ ଜଘନ୍ୟ କାଣ୍ଡ ଘଟାଇଛନ୍ତି ।ପ୍ରଥମେ ସ୍ତ୍ରୀକୁ ମନ ବୁଝିବା ପର୍ଯ୍ୟନ୍ତ ମାଡ଼ ମାରିଥିଲା ।
ଦୁଇ ଛୁଆଙ୍କ ସାମ୍ନାରେ ସ୍ତ୍ରୀ ତ୍ରିବେଣୀ ଉପରେ ଢାଳିଥିଲା ପେଟ୍ରୋଲ୍ । ପୁଅ ଓ ଝିଅ କିଛି ବୁଝିବା ଆଗରୁ ତ୍ରିବେଣୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା ଭେଙ୍କଟେଶ । ଆଉ ସେହି ନିଆଁକୁ ଝିଅକୁ ବି ଠେଲି ଦେଇ ଘରୁ ଖସି ପଳାଇଥିଲା ।
ଛୁଆ ଓ ତ୍ରିବେଣୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ପଡ଼ୋଶୀ । ସେତେବେଳକୁ ନିଆଁରେ ସମ୍ପୂର୍ଣ୍ଣ ଜଳି ତ୍ରିବେଣୀ ଆଖି ବୁଜି ସାରିଥିଲେ । କୁନି ଝିଅର ଶରୀର ସାମାନ୍ୟ ପୋଡ଼ି ଯାଇଥିବା ବେଳେ ସେ ଏବ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
