ଆୟକର ବିଭାଗ କରଦାତାଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସତର୍କ ସୂଚନା ଜାରି କରିଛି। ଆକଳନ ବର୍ଷ (Assessment Year) ୨୦୨୬-୨୭ ପାଇଁ ବର୍ତ୍ତମାନ ସୁଦ୍ଧା ୫ କୋଟିରୁ ଅଧିକ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ସଫଳତାର ସହ ଦାଖଲ ହୋଇସାରିଛି। ବିଭାଗ ସମସ୍ତ ସାଧାରଣ କରଦାତା ଓ ଚାକିରିଆ ବ୍ୟକ୍ତିଙ୍କୁ ଶେଷ ମୁହୂର୍ତ୍ତର ହଡ଼ବଡ଼ିକୁ ଏଡ଼ାଇବା ପାଇଁ ଆଜି ହିଁ ନିଜର ରିଟର୍ଣ୍ଣ ଦାଖଲ କରିବାକୁ ଅପିଲ କରିଛି। ଯେଉଁ କରଦାତାଙ୍କ ଖାତାର ଅଡିଟ୍ ଆବଶ୍ୟକ ନୁହେଁ, ସେମାନଙ୍କ ପାଇଁ ITR ଦାଖଲର ଶେଷ ତାରିଖ ୩୧ ଜୁଲାଇ ୨୦୨୬ ବୋଲି ଜଣାପଡ଼ିଛି।ଆୟକର ବିଭାଗ ନିଜର ଅଧିକୃତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇ କହିଛି ଯେ, ଶେଷ କିଛି ଦିନରେ ଇ-ଫାଇଲିଂ ପୋର୍ଟାଲରେ ଅତ୍ୟଧିକ ଟ୍ରାଫିକ୍ ବଢ଼ିଯାଏ। ଫଳରେ ୱେବସାଇଟ୍ ଧୀର ହୋଇଯିବା କିମ୍ବା ଟେକ୍ନିକାଲ ସମସ୍ୟା ସୃଷ୍ଟି ହେବାର ପୂର୍ଣ୍ଣ ସମ୍ଭାବନା ରହିଥାଏ। ଏହି ଅସୁବିଧାରୁ ବଞ୍ଚିବା ପାଇଁ ସମୟ ଥିବାବେଳେ ITR-1 କିମ୍ବା ITR-2 ଫର୍ମ ଦାଖଲ କରିଦେବାକୁ ବିଭାଗ ପରାମର୍ଶ ଦେଇଛି।ଯଦି କୌଣସି କରଦାତା ୩୧ ଜୁଲାଇ ୨୦୨୬ର ସମୟସୀମା ମଧ୍ୟରେ ITR ଦାଖଲ କରିପାରିବେ ନାହିଁ, ତେବେ ସେମାନଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ବିଳମ୍ବିତ ଫି (Late Fee) ଭାବେ ₹୫,୦୦୦ ପର୍ଯ୍ୟନ୍ତ ଜୋରିମାନା ଲାଗିପାରେ। ତେବେ କମ୍ ଆୟ ଥିବା କରଦାତାଙ୍କ ପାଇଁ ଏହି ଜୋରିମାନା ₹୧,୦୦୦ ରହିଛି।
