ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥା ତନାଘନା କରୁଛି। ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍ ସିମ୍ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା।ମଞ୍ଜୁରୀରୋଡ୍ ବଜାରରେ ମୋବାଇଲ ଦେକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ବନ୍ତ ଥାନା ତରାଗୋ ଅଞ୍ଚଳର ତାଙ୍କ ସହଯୋଗୀ ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୋଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା ।
ପରେ ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ରିମାଣ୍ଡରେ ନେଇ ଯାଇଥିବା ସୂଚନା ମିଳିଛି । ଏମାନଙ୍କ ଦୋକାନକୁ ନୂଆ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ ଆକ୍ଟିଭ କରୁଥିଲେ ଏବଂ ସେଥିରୁ ଗୋଟିଏ ସିମ କାର୍ଡ ମୂଳ ଗ୍ରାହକଙ୍କୁ ଦେଉଥିଲେ । ଅନ୍ୟ ଆକ୍ଟିଭ ସିମକୁ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରୁଥିଲେ । ଏହି ସିମ କାର୍ଡ ଗୁଡ଼ିକ ଅପରାଧିକ କାର୍ଯ୍ୟରେ ବ୍ୟବହାର ହେଉଥିଲା । ଉଭୟଙ୍କ ଆକାଉଣ୍ଟରେ ବିପୁଳ ଟଙ୍କାର କାରବାର ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
