ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ ।ବୁଧବାର(୭ ଜାନୁଆରୀ ୨୦୨୬) ଋଷ ପତାକା ଥିବା ମାରିନେରା ତେଲ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା। କ୍ୟାରବିୟାନ ସିରୁ ସପ୍ତାହ ଧରି ପିଛା କରିବା ପରେ ଶେଷରେ ଉତ୍ତର ଆଟଲାଣ୍ଟିକ୍ରେ ଏହାକୁ ଜବତ କରାଯାଇଥିଲା।
ମିଳିଥିବା ସୂତ୍ର ଅନୁସାରେ ଆମେରିକା ଜବତ କରିଥିବା ମାରିନେରା( ପୂର୍ବ ନାମ ବେଲା-୧) ଟ୍ୟାଙ୍କରରେ ୨୮ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରେ ୧୭ ଜଣ ୟୁକ୍ରେନୀୟ, ୬ ଜଣ ଜର୍ଜିଆନ୍, ତିନି ଜଣ ଭାରତୀୟ ନାଗରିକ ଏବଂ ଦୁଇ ଜଣ (ଜାହାଜର କ୍ୟାପ୍ଟେନ୍ ସମେତ) ରୁଷିଆନ୍ ନାଗରିକ ଥିଲେ। ଏହି ସମସ୍ତ ସଦସ୍ୟ ବର୍ତ୍ତମାନ ଆମେରିକୀୟ ଅଧିକାରୀଙ୍କ ହାତରେ ବନ୍ଦୀ ଅଛନ୍ତି। ଏବଂ ସେମାନଙ୍କୁ କେବେ ମୁକ୍ତ କରାଯିବ ତାହା ସ୍ପଷ୍ଟ କରି ନାହାନ୍ତି ଆମେରିକା ସରକାର। ଏହି ଘଟଣାରେ ଋଷ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଜବତ ପରେ ଅଟକ ଥିବା ସମସ୍ତ କ୍ରୁ ମେମ୍ବରଙ୍କ ପ୍ରତି ମର୍ଯ୍ୟାଦାପୂର୍ଣ୍ଣ ଏବଂ ମାନବିକ ବ୍ୟବହାର ପାଇଁ ମସ୍କୋ ୱାଶିଂଟନକୁ ଅନୁରୋଧ କରିଛି। ଏବଂ ଯଥାଶୀଘ୍ର ସମସ୍ତ ବିଦେଶୀ ନାଗରିକଙ୍କୁ ମୁକ୍ତ କରିବାକୁ ମଧ୍ୟ ଋଷ ଅନୁରୋଧ କରିଛି। ବର୍ତ୍ତମାନ, ଆମେରିକୀୟ ଅଧିକାରୀମାନେ ସାମୁଦ୍ରିକ ଏବଂ ମଞ୍ଜୁରୀ ଆଇନ ଅନୁଯାୟୀ ଜାହାଜର ମାଲିକାନା ତଦନ୍ତ କରୁଛନ୍ତି।
