ପାକିସ୍ତାନରେ ଖୁବ୍ ଖରାପ ସ୍ଥିତିରେ ପହଁଞ୍ଚିଛି ଭୋକ ଏବଂ ଅନାହାର ସମସ୍ୟା। ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ ୨୦୨୬ରେ ପାକିସ୍ତାନର ସ୍ଥିତି ଗମ୍ଭୀର ଶ୍ରେଣୀରେ ରହିଛି। ରିପୋର୍ଟରେ ଦେଶର ସ୍କୋର ୨୫.୫ ଥିବା ବେଳେ, ୧୨୨ଟି ଦେଶ ମଧ୍ୟରେ ଏହାକୁ ୧୦୬ତମ ସ୍ଥାନ ଦିଆଯାଇଛି। ଏହି ରିପୋର୍ଟକୁ ନେଇ ପାକିସ୍ତାନୀ ବିଶେଷଜ୍ଞ କମର ଚିମା ନିଜ ଦେଶର ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।କମର ଚିମାଙ୍କ କହିବା ଅନୁସାରେ, ପାକିସ୍ତାନ ସରକାର ଅନ୍ତର୍ଜାତୀୟ ସ୍ତରରେ ସାମରିକ କୂଟନୀତିକୁ ନେଇ ସଫଳତାର ଦାବି କରୁଛନ୍ତି। କିନ୍ତୁ ଦେଶ ଭିତରେ ଲୋକଙ୍କ ଭୋକ ଓ କୁପୋଷଣ ଭଳି ସମସ୍ୟା ରହିଛି। ସେ ଅଭିଯୋଗ କରିଛନ୍ତି ଯେ, ସରକାର ନିଜ ବିଫଳତାର ଉତ୍ତର ଦେବା ପରିବର୍ତ୍ତେ ବାରମ୍ବାର ସେନା ପଛରେ ଲୁଚୁଛନ୍ତି। ପାକିସ୍ତାନର ପ୍ରାୟ ୧୬ ପ୍ରତିଶତ ଲୋକ କୁପୋଷଣର ଶିକାର ବୋଲି ଦର୍ଶାଯାଇଛି। ସେହିପରି, ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରେ ୩୩.୬ ପ୍ରତିଶତଙ୍କ ଉଚ୍ଚତା ବୟସ ଅନୁପାତରେ କମ୍ ରହିଛି। ୯.୮ ପ୍ରତିଶତ ପିଲାଙ୍କ ଓଜନ କମ୍ ଥିବାବେଳେ, ଶିଶୁ ମୃତ୍ୟୁହାର ୫.୬ ପ୍ରତିଶତ ବୋଲି ଉଲ୍ଲେଖ କରାଯାଇଛି।ରିପୋର୍ଟ ଅନୁସାରେ, ଭାରତର ସ୍କୋର ୨୪.୧ ରହିଛି ଏବଂ ୧୨୨ଟି ଦେଶ ମଧ୍ୟରେ ଏହା ୧୦୦ତମ ସ୍ଥାନରେ ରହିଛି। ୨୦.୦ରୁ ୩୪.୯ ମଧ୍ୟରେ ଥିବା ସ୍କୋରକୁ ଗମ୍ଭୀର ଭୋକ ଶ୍ରେଣୀ ଭାବେ ଗଣାଯାଏ। ତେଣୁ ଭାରତ ଓ ପାକିସ୍ତାନ ଉଭୟ ଦେଶ ଏହି ଶ୍ରେଣୀରେ ରହିଛନ୍ତି।
