ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି।ଟ୍ୱିନ୍ ସିଟିର ଯେଉଁ ସବୁ ପ୍ରମୁଖ ରାସ୍ତା ଓ ଟ୍ରାଫିକ୍ ଜଙ୍କସନ୍ଗୁଡ଼ିକ ଖରାପ ଅବସ୍ଥାରେ ଅଛି, ସେଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ସମୀକ୍ଷା ବୈଠକରେ ଯାତାୟାତକୁ ଅଧିକ ସୁଗମ କରିବା ପାଇଁ ୮-ଲେନ୍ ବିଶିଷ୍ଟ ପ୍ରଶସ୍ତ ରାସ୍ତା (8-Lane Road) ନିର୍ମାଣ ଓ ସମ୍ପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି। କଟକରୁ ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଯେପରି ବିନା କୌଣସି ଟ୍ରାଫିକ୍ ସମସ୍ୟାରେ ସହଜ ଓ ସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ନିରବଚ୍ଛିନ୍ନ ଗମନାଗମନ ବ୍ୟବସ୍ଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ନଗରବାସୀଙ୍କୁ ସୁରକ୍ଷିତ ଯାତାୟାତ ସୁବିଧା ଯୋଗାଇଦେବା ସହ ଟ୍ୱିନ୍ ସିଟିର ନବକଳେବର ପାଇଁ ପୋଲିସ କମିଶନରେଟ୍, ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
