ବିଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ପାଠପଢ଼ିବାର ସ୍ୱପ୍ନ ଦେଖୁଥିବା ଓଡ଼ିଶାର SC ଓ ST ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଉଚ୍ଚଶିକ୍ଷାର ସୁଯୋଗକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା ।ଏହି ଯୋଜନାରେ QS World University Rankingରେ ଶ୍ରେଷ୍ଠ ୨୦୦ ମଧ୍ୟରେ ଥିବା ବିଦେଶୀ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରେ Postgraduate ଏବଂ Ph.D. ପାଠ୍ୟକ୍ରମ ପଢ଼ିବାକୁ ଚାହୁଁଥିବା ଯୋଗ୍ୟ SC ଓ ST ଛାତ୍ରଛାତ୍ରୀଙ୍କୁ ସରକାରୀ ସହାୟତା ମିଳିବ । ଆବେଦନ ସମୟରେ ଉପଲବ୍ଧ ସର୍ବଶେଷ QS ରାଙ୍କିଂକୁ ଆଧାର କରି ଶିକ୍ଷାନୁଷ୍ଠାନ ଚୟନ କରାଯିବ । ଏହି ଯୋଜନାରେ ମୋଟ୍ ୫୦ ଜଣ SC ଓ ST ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ । ତେବେ ଏଥିପାଇଁ ପରିବାରର ବାର୍ଷିକ ଆୟ ସର୍ବାଧିକ ୧୨ ଲକ୍ଷ ଟଙ୍କା ମଧ୍ୟରେ ଥିବା ଆବଶ୍ୟକ ।ଯୋଗ୍ୟ ଛାତ୍ରଛାତ୍ରୀମାନେ ଶିକ୍ଷାବର୍ଷ ୨୦୨୫-୨୬ ଏବଂ ୨୦୨୬-୨୭ ପାଇଁ ଓଡ଼ିଶା ସ୍କଲାରସିପ୍ ପୋର୍ଟାଲରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୧୮ ଅଗଷ୍ଟରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚାଲିବ । ତେଣୁ ବିଦେଶରେ ଉଚ୍ଚଶିକ୍ଷାର ସ୍ୱପ୍ନ ଦେଖୁଥିବା SC ଓ ST ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନଲାଇନ୍ ଆବେଦନ କରି ଏହି ସୁଯୋଗର ଲାଭ ନେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।Ph.D କରିବା ପାଇଁ ହେଲେ ପିଜିରେ ସର୍ବନିମ୍ନ 65 ପ୍ରତିଶତ ମାର୍କ ରଖିବା ଆବଶ୍ୟକ । 40 ବର୍ଷ ବୟସ ମଧ୍ୟରେ ନାମ ଲେଖାଇ ଏହି ଯୋଜନାର ସୁବିଧା ପାଇପାରିବେ । ସେହିପରି ମାଷ୍ଟର ଡିଗ୍ରୀରେ 1-2 ବର୍ଷ, ପ୍ରାସଙ୍ଗିକ ସ୍ନାତକ ଡିଗ୍ରୀରେ 65 ପ୍ରତିଶତ ମାର୍କ ରହିଥିବା ଆବଶ୍ୟକ । ଯେଉଁଥିରେ ବୟସ 35 ବର୍ଷ ମଧ୍ୟରେ ହୋଇଥିବ ।PG ଏବଂ Ph.D ପାଠ୍ୟକ୍ରମ ପାଇଁ ପ୍ରତି ଛାତ୍ର ପାଇଁ ପ୍ରତି ବର୍ଷ ପ୍ରତି ପାଠ୍ୟକ୍ରମ ପାଇଁ ୨୫ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । PG ପାଠ୍ୟକ୍ରମ ପାଇଁ ଅବଧି ଉପରେ ନିର୍ଭର କରି ୧ ବର୍ଷ କିମ୍ବା ୨ ବର୍ଷ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । Ph.D ପାଠ୍ୟକ୍ରମ ପାଇଁ ଏହା ୨ ବର୍ଷ ରହିବ । ୨ ବର୍ଷ ପରେ ବିଭାଗ ପକ୍ଷରୁ ସହାୟତାର ଆଉ କୌଣସି ବୃଦ୍ଧି କରାଯିବ ନାହିଁ ।
