ଗୁଜରାଟର ମୋରବୀରେ ଦେଖାଦେଇଛି ଏକ ରହସ୍ୟମୟ ଘଟଣା। ସମୁଦ୍ର ଭଳି ଲହରୀ ମାରୁଛି କୂଅର ପାଣି। ମୋରବୀ ଜିଲ୍ଲା ବୀରପରଡ଼ା ଗାଁର ୧୮ ଫୁଟ ଗଭୀର ଏହି କୂଅକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ହେବ କୂଅ ଭିତରେ ପାଣି ଆପେ ଆପେ ହଲଚଲ ହେଉଥିବା ଦେଖାଯାଉଛି। ଆଶ୍ଚର୍ଯ୍ୟର କଥା, ପାଖରେ ଥିବା ଅନ୍ୟ କୂଅରେ ଏପରି କୌଣସି ଗତି ପରିଲକ୍ଷିତ ହୋଇନାହିଁ। ଏହି ଅଜବ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି, ଲୋକମାନେ ଏହାକୁ ବିଭିନ୍ନ ପ୍ରକାରରେ ମତାମତ ଦେଉଛନ୍ତି। କେହି ଏହାକୁ ଅଲୌକିକ ଘଟଣା କହୁଥିବା ବେଳେ, ଅଧିକାରୀମାନେ ଏହା ପଛରେ ଭୂ-ବୈଜ୍ଞାନିକ କାରଣ ଥାଇପାରେ ବୋଲି କହିଛନ୍ତି। ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ କୂଅର ପାଣି ଯାଞ୍ଚ କରିଛନ୍ତି।
ପ୍ରାଥମିକ ଭାବେ ଅଧିକ ବର୍ଷା ଯୋଗୁଁ କୂଅର ରିଚାର୍ଜ ଏବଂ ଜୋର ପବନ କାରଣରୁ ପାଣିରେ ଏଭଳି ଗତି ସୃଷ୍ଟି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏପର୍ଯ୍ୟନ୍ତ ଭୂମିକମ୍ପ କିମ୍ବା କୌଣସି ବଡ଼ ଭୂଗର୍ଭ ଚଳନର ସଙ୍କେତ ମିଳିନାହିଁ। ତଥାପି ଏହି ଅଜବ ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ ଜାରି ରହିଛି।
