କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟ ଗାଁରେ ଘଟିଛି ଏହି ଅଘଟଣ । ଘରେ ପଶି ମହିଳାଙ୍କୁ ଛୁରାମାଡ଼ । ବେକରେ ଲାଗିଛି ଗଭୀର ଆଘାତ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଲା ପୋଳିସ ।ଆହତ ମହିଳାଙ୍କ ନାଁ ସୁପ୍ରିୟା ସାହୁ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ମହିଳା ହେଲେ ଆଗ୍ରାହାଟ ଗାଁର ବିଧବା ମହିଳା ସୁପ୍ରିୟା ସାହୁ । ଆଜି ଦିପହରରେ ସୁପ୍ରିୟା ଘରେ ଏକା ଶୋଇଥିଲେ । ଏହି ସମୟରେ କିଛି ବ୍ୟକ୍ତି ଘରେ ପଶି ତାଙ୍କ ମୁହଁରେ କପଡ଼ା ବାନ୍ଧି ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲେ । ପଡ଼ୋଶୀ ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଆମ୍ୱୁଲାନ୍ସ ସହାୟତାରେ କଟକ ବଡ଼ମେଡିକାଲକୁ ନେଇ ଭର୍ତ୍ତି କରିଛନ୍ତି । ସୁପ୍ରିୟାଙ୍କ ସ୍ୱାମୀ କେଶବ ସାହୁ ଗତ ଛଅ ମାସ ତଳେ ମୃତ୍ୟୁବରଣ କରିଥିଲେ । ଏବେ ଶଶୁରଙ୍କ ସହ ଘରେ ରହୁଥିଲେ ସୁପ୍ରିୟା l ଏଭଳି ଅବସ୍ଥାରେ ମହିଳାଙ୍କୁ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରିଛି । ଦୁର୍ବୃତ୍ତ ଦୁଇ ଜଣ ଏକ ସ୍କୁଟିରେ ଆସିଥିବା କୁହାଯାଉଥିବାବେଳେ ସେମାନେ କିଏ ଓ କ’ଣ ପାଇଁ ମହିଳାଙ୍କୁ ଏଭଳି ଆକ୍ରମଣ କଲେ ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ ।