ଶାରୀରିକ ସମ୍ପର୍କ ରଖିବା ପରେ ଅତ୍ୟଧିକ ରକ୍ତ ଶ୍ରାବ ଯୋଗୁ ୨୩ ବର୍ଷୀୟା ନର୍ସିଂ ସ୍ନାତକ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଗୁଜରାଟରେ ଏଭଳି ଘଟଣା ଘଟିଥିବା ବେଳେ ପୁଲିସ ୨୬ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି। ବ୍ୟକ୍ତିଗତ ଅଙ୍ଗରେ ଆଘାତ ଲାଗିବା ପରେ ହୋଇଥିବା ରକ୍ତସ୍ରାବ ପାଇଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି । ପୁଲିସର କହିବା ମୁତାବକ, ସେପ୍ଟେମ୍ବର ୨୩ରେ ଉଭୟ ଯୁବକ-ଯୁବତୀ ଏକ ହୋଟେଲ ରୁମ ବୁକ୍ କରିଥିଲେ । ଦୁହେଁ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କ ବ୍ୟକ୍ତିଗତ ଅଙ୍ଗରୁ ରକ୍ତସ୍ରାବ ହେବା ଆରମ୍ଭ ହୋଇଥିଲା ।ଆମ୍ବୁଲାନ୍ସ ଡାକିବା ପରିବର୍ତ୍ତେ ଯୁବକଜଣକ ଗୁଗଲରେ ରକ୍ତସ୍ରାବ ରୋକିବା ପାଇଁ ଚେଷ୍ଟା କରିଥିଲେ । ଘଣ୍ଟା ଘଣ୍ଟା କାଳ ଅନ୍ଲାଇନ୍ରେ ଟିପ୍ସ ଖୋଜୁଥିବା ବେଳେ ଶରୀରକୁ ଅତ୍ୟଧିକ ରକ୍ତ ବୋହିଯିବାରୁ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଉଚିତ ସମୟରେ ଡାକ୍ତରଖାନା ନ ନେବା ଯୋଗୁ ଛାତ୍ରୀଙ୍କର ମୃତ୍ୟ ହୋଇଛି। ଏହି ଅବହେଳା ପାଇଁ ପୁଲିସ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।ରକ୍ତ ବୋହୁଥିବା ସମୟରେ ବି ପୁରୁଷ ବନ୍ଧୁ ଶାରୀରିକ ସମ୍ପର୍କ ରଖିବା ବନ୍ଦ କରି ନଥିଲେ। କିନ୍ତୁ ଯେତେବେଳେ ପ୍ରବଳ ରକ୍ତ ବହିଲା ରକ୍ତ ବନ୍ଦ କରିବା ପାଇଁ ଯୁବକ ପ୍ରାୟ ଦେଢ ଘଣ୍ଟା ଅନ୍ଲାଇନ୍ରେ ଟିପ୍ସ ସର୍ଚ୍ଚ କରିଥିଲେ। ଏହାପରେ କପଡ଼ା ଆଣି ରକ୍ତ ବନ୍ଦ କରିବାକୁ ଚେଷ୍ଟା ବି କରିଥିଲେ।ହେଲେ ରକ୍ତସ୍ରାବ ବନ୍ଦ ହୋଇନଥିଲା । କିଛି ସମୟ ପରେ ଯୁବତୀ ଅଚେତ୍ ହୋଇପଡ଼ିବାରୁ ଯୁବକ ନିଜ ବନ୍ଧୁଙ୍କୁ ଡାକି ଯୁବତୀଙ୍କୁ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ସିଭିଲ୍ ହସ୍ପିଟାଲକୁ ନେବା ପାଇଁ କହିଥିଲେ । ଏମଧ୍ୟରେ ବିଳମ୍ବ ହୋଇଯାଇଥିବାରୁ ସିଭିଲ୍ ହସ୍ପିଟାଲ ଯିବା ବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଜାଣିଶୁଣି ହତ୍ୟା କରିବା ଓ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବା ଅଭିଯୋଗରେ ପୁଲିସ ଯୁବକଙ୍କୁ ଗିରଫ କରିଛି। ଛାତ୍ରୀଙ୍କର ଶବବ୍ୟବଚ୍ଛେଦ ରିପୋର୍ଟରେ ଯୁବତୀଙ୍କର ଯୌନାଙ୍ଗରେ ଗଭୀର କ୍ଷତ ଯୋଗୁ ରକ୍ତଶ୍ରାବ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି।