ଏଲନ ମସ୍କ ଟ୍ରମ୍ପଙ୍କ ବିଗ୍ ବିୟୁଟିଫୁଲ୍ ବିଲ୍ ବିପକ୍ଷରେ ଲଗାତର ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ବିଲ୍କୁ ବିରୋଧ କରୁଛନ୍ତି। ଏବେ ଲାଗୁଛି ଟ୍ରମ୍ପଙ୍କ ଧୈର୍ଯ୍ୟର ସୀମା ମଧ୍ୟ ଲଙ୍ଘି ଯାଇଛି ଏବଂ ସେ ବି ମସ୍କଙ୍କୁ ଧମକ ଦେଇଛନ୍ତି। ଟ୍ରମ୍ପଙ୍କ ଏହି ବିଲକୁ ପାଗଳାମୀ ଓ କରଦାତାଙ୍କ ଉପରେ ବୋଝ ବୋଲି କହିଛନ୍ତି ମସ୍କ । ସିନେଟ୍ ବିଲକୁ ମଂଜୁରୀ ଦେଲେ, ଏହାର ପରଦିନ ହିଁ ଆମେରିକା ପାର୍ଟି ନାଁରେ ଏକ ନୂଆ ରାଜନୈତିକ ଦଳ ଲଞ୍ଚ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ମସ୍କଙ୍କ ଚେତାବନୀ ପରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଟ୍ରମ୍ପ । ଏଲନ ମସ୍କଙ୍କୁ ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ ବୋଲି ଧମକ ଦେଇଛନ୍ତି ।ଟ୍ରମ୍ପ ଇଲେକ୍ଟ୍ରୋନିକ ଯାନବାହାନର ବିରୋଧୀ । ଏକଥା ରାଷ୍ଟ୍ରପତି ନିର୍ବାଚନ ବେଳେ ସାହାଯ୍ୟ କରିବା ପୂର୍ବରୁ ମସ୍କ ଜାଣିଥିଲେ ବୋଲି ଟ୍ରମ୍ପ ଲେଖିଛନ୍ତି । ଏପରିକି ତାଙ୍କର ଏହି ଆଭିମୁଖ୍ୟ ନିର୍ବାଚନ ପ୍ରଚାରରେ ବି ସେ କହିଥିଲେ । ଇଲେକ୍ଟ୍ରୋନିକ ଯାନ କିଣିବାକୁ ସମସ୍ତଙ୍କୁ ବାଧ୍ୟ କରାଯାଇ ପାରିବନି । ତେବେବିଲ୍ ପାଇଁ ରାଷ୍ଟ୍ରୀୟ ଋଣ ଅହେତୁକ ଭାବେ ବଢିବ ବୋଲି ମସ୍କ କହୁଛନ୍ତି । ଏହା ୨.୪ଟ୍ରିଲିୟନ ଡଲାରରୁ ବଢି ୫ଟ୍ରିଲିୟନ ଡଲାର ହୋଇଯିବ । ଫଳରେ ବଜେଟ୍ ନିଅଣ୍ଟ ବଢିବ । ବିଲ ଯୋଗୁଁ ଆମେରିକା ନାଗରିକଙ୍କ ଉପରେ ଅତିରିକ୍ତ ବୋଝ ବଢିବ । ତେଣୁ ବିଲକୁ ଅଧିକ ଖର୍ଚ୍ଚଯୁକ୍ତ ବୋଲି କହିଛନ୍ତି ମସ୍କ । ସେହିପରି ବିଲରେ ଇଲେକ୍ଟ୍ରୋନିକ ଯାନରେ ଟ୍ୟାକ୍ସ କ୍ରେଡିଟ୍ ଓ ସ୍ବଚ୍ଛ ଶକ୍ତି ପ୍ରୋତ୍ସାହନ ରାଶି ଶେଷ କରିବାର ବ୍ୟବସ୍ଥା ରହିଛି । ତେଣୁ ବିଲ ପାଇଁ ମସ୍କଙ୍କ କମ୍ପାନୀ ଟେସଲା ବ୍ୟାପକ କ୍ଷତି ସହିପାରେ । ତେଣୁ ବିଲକୁ କଡା ସମାଲୋଚନା କରୁଛନ୍ତି ମସ୍କ ।