କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଥିବା ଆର୍ଥିକ ଅନୁକମ୍ପା ରାଶିରୁ ଠକେଇ ହୋଇଛି । ଆର୍ଥିକ ଅନୁକମ୍ପା ରାଶିରୁ ୧ ଲକ୍ଷ ୧ ହଜାର ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି ।ପୀଡ଼ିତା ୨୦୨୦ ମସିହାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ସେତେବେଳେ ସେ ନାବାଳିକା ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତାଙ୍କୁ ମୋଟ ୫ ଲକ୍ଷ ଟଙ୍କାର ଆର୍ଥିକ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା । ଗତ ମାସରେ ପ୍ରଥମ ଦଫାରେ ତାଙ୍କୁ ୩ ଲକ୍ଷ ୭୫ ହଜାର ଟଙ୍କା ମିଳିଥିଲା । ଏହି ଟଙ୍କା ପାଇବା ପୂର୍ଵରୁ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ପରିଚୟ ଦେଇ ଦୁଇ ଜଣ ବ୍ୟକ୍ତି ୧ ଲକ୍ଷ ୧ ହଜାର ଟଙ୍କା କମିଶନ ମାଗିଥିଲେ, ଏବଂ ଏହି ଟଙ୍କା ନ ଦେଲେ ଅବଶିଷ୍ଟ ଟଙ୍କା ମିଳିବ ନାହିଁ ବୋଲି କହିଥିଲେ । ଫଳରେ ପୀଡ଼ିତା ସେମାନଙ୍କ ଦୁଇଟି ଆକାଉଣ୍ଟରେ ତିନୋଟି ପର୍ଯ୍ୟାୟରେ ୧ ଲକ୍ଷ ୧ ହଜାର ଟଙ୍କା ଡିପୋଜିଟ କରିଥିଲେ । ତେବେ ଠକେଇର ଶିକାର ହୋଇଥିବା ଜାଣି ପୀଡିତା ଏହି ଘଟଣା ସମ୍ପର୍କରେ ଲାଲବାଗ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।