ଓଡ଼ିଆଣୀ ବେଶରେ ସଜେଇ ହୋଇଛନ୍ତି ମାଆ ସୁଭଦ୍ରା । କି ଭାଗ୍ୟ ସେ ପଦ୍ମଫୁଲର ଯୋଗମାୟାଙ୍କ ବେକରେ ମାଳା ହେବାର ସୌଭାଗ୍ୟ ପାଇଛି ।ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ । ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ବେଶ ହୋଇଥାଏ। ମହାପ୍ରଭୁଙ୍କ ସୁନା ବେଶ ଦେଖିବା ପାଇଁ ରବିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଲାଗି ରହିଛି। ରାତ୍ର ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀକ୍ଷେତ୍ର ଆସିବାକୁ ରାସ୍ତାରେ ପଛକୁ ପଛ ଲମ୍ବିଛି ଗାଡ଼ିର ଲମ୍ବା ଲାଇନ। ଅନ୍ୟପକ୍ଷେ ଟ୍ରାଫିକ କଣ୍ଟ୍ରୋଲ ରୁମରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ପୁରୀରେ କେତେ ଗାଡ଼ି ପ୍ରବେଶ କରୁଛି ଏବଂ ବାହାରୁଛି ସବୁ ଉପରେ ନଜର ରଖାଯାଇଛି।