ଉତ୍ତର ପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳିଙ୍କୁ ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନରେ ଯାତ୍ରା କରିବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ଟ୍ରେନ୍ରେ ଶୋଚନୀୟ ଭାବେ ଯାତ୍ରା କରି ଫେରିଥିବା ଏହି ପିଲାମାନେ ଆମେ ରାଜ୍ୟର ଜଣେ ଜଣେ ଜାତୀୟ ସ୍ତରୀୟ ଖେଳାଳି । ହେଲେ ଏମାନଙ୍କ ଅବସ୍ଥା ଏମିତି ଯେ , ସେମାନେ ଅସହାୟ… ଅପରିଚିତ ଓ ଅଣଦେଖା ଭାବେ ଦୟନୀୟ ସ୍ଥିତିରେ ଟ୍ରେନ୍ ଭିତରେ ତଳେ ବସି ଘର ବାହୁଡ଼ା ହେଉଛନ୍ତି । ଆଉ ଏହି ୧୯ ସେକେଣ୍ଡର ଭିଡିଓ ଖେଳାଳିଙ୍କ ପ୍ରତି ରାଜ୍ୟ କ୍ରୀଡ଼ା ବିଭାଗର ଯତ୍ନଶୀଳତା ଉପରେ ଅଙ୍ଗୁଳି ଉଠାଇଛି ।ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା। ତେବେ ଦଶ ଜଣ ପୁଅ ଏବଂ ଆଠ ଜଣ ଝିଅଙ୍କୁ ନେଇ ତିଆରି ଏହି ଟିମର ଟିକେଟ କନଫର୍ମ ହୋଇ ନପାରିବାରୁ ସେମାନଙ୍କୁ ପ୍ରବଳ ଥଣ୍ଡାରେ ଟ୍ରେନର ସାଧାରଣ କୋଚ୍ର ଶୌଚାଳୟ ପାଖରେ ଯାତ୍ରା କରିବାକୁ ପଡିଥିଲା। ସେହିପରି ସେମାନଙ୍କର ଫେରିବା ଟିକେଟ କନଫର୍ମ ହୋଇ ନପାରିବାରୁ ଖେଳାଳି ମାନଙ୍କୁ ସମାନ ଅବସ୍ଥାରେ ଫେରିବାକୁ ମଧ୍ୟ ପଡିଥିଲା।ଖେଳାଳିଙ୍କ ସହ ଯାଇଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ଯେ, କଟକର ଜଣେ ମ୍ୟାନେଜରଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି, “ଯଦି ଦେଶ ପାଇଁ ଖେଳୁଥିବା ଖେଳାଳିଙ୍କୁ ସର୍ବନିମ୍ନ ସୁବିଧା ମିଳିବ ନାହିଁ, ତେବେ ସେମାନେ କିଭଳି ପଦକ ଜିତିବେ?”
