ଆକ୍ରମଣ, ପ୍ରତିଆକ୍ରମଣ ଭିତରେ ଇରାନର ସର୍ବୋଚ୍ଚ ନେତାଙ୍କ ଚେତାବନୀ । ଯୁଦ୍ଧରେ ଚାପ ସୃଷ୍ଟି ପାଇଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ରଖିବାକୁ ଇରାନର ସର୍ବୋଚ୍ଚ ନେତା ମୋଜତବା ଖାମେନେଇ ଧମକ ଦେଇଛନ୍ତି ।ସର୍ବୋଚ୍ଚ ନେତା ନିର୍ବାଚିତ ହେବା ପରେ ଗୁରୁବାର ମୋଜତାବା ପ୍ରଥମ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଟେଲିଭିଜନ ମାଧ୍ୟମରେ ନିଜ ସମ୍ବୋଧନରେ ଇସ୍ରାଏଲ ଓ ଆମେରିକା ବିରୋଧରେ ଯୁଦ୍ଧକୁ ତୀବ୍ର କରିବାକୁ ଆହ୍ବାନ ଦେଇଛନ୍ତି। ଏପରି କି ଯୁଦ୍ଧରେ ହର୍ମୁଜ ପ୍ରଣାଳୀକୁ ଅସ୍ତ୍ର କରିବାକୁ ସେ ନିର୍ଦେଶ ଦେଇଛନ୍ତି। ମୋଜତାବା କହିଛନ୍ତି ଯେ ଇରାନର ପ୍ରତିଟି ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ। ଯୁଦ୍ଧରେ ଇରାନ ଯେଉଁ କ୍ଷତିର ସମ୍ମୁଖୀନ ହୋଇଛି ତା’ର କ୍ଷତିପୂରଣ ଦାବି କରାଯିବ କିମ୍ବା ଶତ୍ରୁ ପକ୍ଷକୁ ସମାନ ପରିମାଣର କ୍ଷତି ପହଞ୍ଚାଯିବ। ମୋଜତାବା କହିଛନ୍ତି ଯେ ପଡୋଶୀ ଉପସାଗରୀୟ ରାଷ୍ଟ୍ରଗୁଡିକରେ ଥିବା ଆମେରିକାର ସାମରିକ ଘାଟିଗୁଡିକ ତୁରନ୍ତ ବନ୍ଦ ହେବା ଦରକାର। ଏଥିପାଇଁ ପଡୋଶୀ ରାଷ୍ଟ୍ରଗୁଡିକୁ ଅନୁରୋଧ କରାଯାଇଛି। ପଡୋଶୀ ରାଷ୍ଟ୍ରରେ ଯଦି ଆମେରିକାର ସେନାଘାଟି ସକ୍ରିୟ ହୁଏ ତେବେ ଏହା ଉପରେ ଆକ୍ରମଣ ନିଶ୍ଚିତ ହେବ।ସେପଟେ ଆମେରିକା ରାଷ୍ଟ୍ରପତି ଇରାନକୁ ପୁଣି ଧମକ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଯୁକ୍ତରାଷ୍ଟ୍ର ହେଉଛି ବିଶ୍ୱର ସବୁଠାରୁ ବଡ଼ ତୈଳ ଉତ୍ପାଦକ ଦେଶ । ତେଣୁ ଯେତେବେଳେ ତୈଳର ମୂଲ୍ୟ ବଢ଼େ, ଆମେ ବହୁତ ଟଙ୍କା କମାଇଥାଉ । କିନ୍ତୁ ତାଙ୍କ ପାଇଁ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏକ ଦୁଷ୍ଟ ସାମ୍ରାଜ୍ୟ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା । ଏହା ମଧ୍ୟପ୍ରାଚ୍ୟକୁ ଓ ସମଗ୍ର ବିଶ୍ୱକୁ ଧ୍ୱଂସ କରିଦେବ । ସେ କେବେବି ଏହା ଘଟିବାକୁ ଦେବେ ନାହିଁ ବୋଲି କହିଛନ୍ତି ।ଯୁଦ୍ଧର ତ୍ରୟୋଦଶ ଦିନରେ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନର ବିଭିନ୍ନ ସାମରିକ ଘାଟି ଏବଂ ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛନ୍ତି। ଅନ୍ୟପଟେ ଇରାନ ମଧ୍ୟ ଇସ୍ରାଏଲ ଏବଂ ଆରବ ସାଗରରେ ଥିବା ଆମେରିକୀୟ ଜାହାଜ ଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହା ସହିତ ଆମେରିକାର ସହଯୋଗୀ ଉପସାଗରୀୟ ରାଷ୍ଟ୍ରଗୁଡିକ ଉପରେ ମଧ୍ୟ ଇରାନ ଜୋରଦାର ଆକ୍ରମଣ କରିଛି। ଇରାକରେ ଥିବା ଇଟାଲୀର ଏକ ସେନା ଘାଟି ଉପରେ ଇରାନ ଆକ୍ରମଣ କରିଛି। ସେହିପରି ଦୁବାଇ, କୁଏତ ଆନ୍ତର୍ଜାତିକ ବିମାନବନ୍ଦର, ସାଉଦି ଆରବ ଉପରେ ଆକ୍ରମଣ କରିଛି। ପାରସ୍ୟ ଉପସାଗରରେ ଜାପାନର ଏକ ଜାହାଜ ଉପରେ ଇରାନ ଆକ୍ରମଣ କରିଛି। ଇରାନର ଆକ୍ରମଣରେ କୁଏତର ୬ଟି ପାୱାର ଟ୍ରାନ୍ସମିଶନ ନଷ୍ଟ ହୋଇଛି। ସେହିପରି କୁଏତର ଏକ ଆବାସିକ ଅଞ୍ଚଳରେ ହୋଇଥିବା ଡ୍ରୋନ ଆକ୍ରମଣରେ ୨ଜଣ ନାଗରିକ ଆହତ ହୋଇଛନ୍ତି। ଇସ୍ରାଏଲ ଉପରେ ମଧ୍ୟ ଇରାନ ଓ ଏହାର ସହଯୋଗୀ ସଂଗଠନ ହେଜବୋଲ୍ଲା ପକ୍ଷରୁ ୧୫୦ରୁ ଅଧିକ ରକେଟ୍ ମାଡ କରାଯାଇଛି।
ଯୁଦ୍ଧ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଧମକ ଦେଲେ ମୋଜତବା ଖାମେନେଇ
By madhulekha2 Mins Read
