ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ (ଜେଣ୍ଡର ଚେଞ୍ଜ) କରାଇ ମହିଳା ହୋଇଯାଇଛନ୍ତି। । ସାତ ବର୍ଷର ବିବାହ ପରେ ସ୍ତ୍ରୀ ଏହି ବିଷୟରେ ଜାଣିବାକୁ ପାଇ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି। ବିନା ଦ୍ୱିଧାରେ ସେ ନ୍ୟାୟ ପାଇଁ କୋର୍ଟର ସାହାର ନେଇଛନ୍ତି । ସେ ଏହାକୁ ବିଶ୍ୱାସଘାତକତା ବୋଲି କହି ତାଙ୍କ ସ୍ୱାମୀଙ୍କଠାରୁ କ୍ଷତିପୂରଣ ଏବଂ ନ୍ୟାୟ ପାଇଁ ଆବେଦନ କରିଛନ୍ତି। ପୀଡ଼ିତା ପତ୍ନୀଙ୍କ କହିବାନୁସାରେ, ତାଙ୍କ ବିବାହକୁ ୭ ବର୍ଷ ବିତିଛି। ତାଙ୍କର ଦୁଇଟି ଝିଅ ଅଛନ୍ତି। ସ୍ବାମୀ ଦିଲ୍ଲୀର ଏକ ପ୍ରାଇଭେଟ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟରତ। ପ୍ରାୟ ୨ ବର୍ଷ ପୂର୍ବେ ସେ ଦିଲ୍ଲୀ ଯାଇ ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ କରାଇଥିଲେ, କିନ୍ତୁ ଏହି ବଡ଼ ନିଷ୍ପତ୍ତି ନେଇ କୌଣସି ସୂଚନା ପରିବାରକୁ ଦେଇ ନ ଥିଲେ। ମାତ୍ର ପତ୍ନୀଙ୍କ ହାତରେ ମେଡିକାଲ ଡକ୍ୟୁମେଣ୍ଟ ପଡ଼ିବା ପରେ ଏହି ଚକିତ କଲାଭଳି ସତ ସାମ୍ନାକୁ ଆସିଥିଲା। ପରେ ସେ କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ ସ୍ବାମୀଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପତ୍ନୀଙ୍କ କହିବା ଅନୁଯାୟୀ ବିବାହ ପରଠାରୁ ତାଙ୍କ ସ୍ୱାମୀଙ୍କ ଆଚରଣ ସ୍ୱାଭାବିକ ନଥିଲା। ସେ ତାଙ୍କୁ ବାରମ୍ବାର ମାଡ଼ପିଟ କରିବା ସହ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବନ୍ଧୁମାନଙ୍କ ସହିତ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରିଥିଲେ। ସେ ନ ମାନିବାରୁ ତାଙ୍କୁ ଘରୁ ବାହାର କରିଦେଇଥିଲେ।
ଏଭଳି ଘଟଣା ପରେ ତାଙ୍କ ପିଲାମାନଙ୍କ ଭବିଷ୍ୟତ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ।ସତ ସାମ୍ନାକୁ ଆସିବା ପରେ, ପତ୍ନୀ କୋର୍ଟରେ ଭରଣପୋଷଣ ଏବଂ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି।ଅନ୍ୟପକ୍ଷରେ ସ୍ବାମୀ ସମସ୍ତ ଅଭିଯୋଗକୁ ଅବାସ୍ତବ ଓ ମିଛ ବୋଲି କହିଛନ୍ତି। ସ୍ବାମୀଙ୍କ ପକ୍ଷରୁ ମଧ୍ୟ କୋର୍ଟରେ ଅଭିଯୋଗ ଦାଖଲ ହୋଇଛି। ବର୍ତ୍ତମାନ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣୁଛି ଏବଂ ମାମଲାର ଗଭୀର ତଦନ୍ତ ଚାଲିଛି।
