ସରକାରଙ୍କ କଡ଼ା ଚେତାବନୀ । ଜନଗଣନା କାମରେ ଯିଏ ବି ବାଧା ଦେବ । ତା ବିରୋଧରେ ହେବ କଠୋର ଆକ୍ସନ ।ଓଡ଼ିଶାରେ ଚାଲିଥିବା ଜନଗଣନା-୨୦୨୭ କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି କେବଳ ସରକାରୀ ନୁହେଁ ବରଂ ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କୁ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିବ। ଏଥିରେ କୌଣସି ପ୍ରକାର ଅବହେଳା ବା ବାଧା ସୃଷ୍ଟି କଲେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ନିଜ ଶିକ୍ଷକମାନଙ୍କୁ ଜନଗଣନା କାର୍ଯ୍ୟ ପାଇଁ ଛାଡୁନଥିବା ନେଇ ସରକାରଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ଏକ ନିର୍ଦ୍ଦେଶାନାମା ଜାରି କରିବାକୁ କୁହାଯାଇଛି । ଜନଗଣନା ଦାୟିତ୍ୱରେ ନିଯୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ରିଲିଭ କରିବା ବାଧ୍ୟତାମୂଳକ । ଅଯଥାରେ ଜନଗଣନା କାମରେ ଶିକ୍ଷକଙ୍କୁ ବଞ୍ଚିତ କରାଯିବନାହିଁ । ଯଦି କେହି ବି ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ ଏବଂ ଅବହେଳା କରନ୍ତୁ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।ରାଜ୍ୟ ସରକାରଙ୍କ ଏହି କଠୋର ଆଭିମୁଖ୍ୟ ପରେ ଏବେ ଘରୋଇ ସ୍କୁଲଗୁଡ଼ିକ ଉପରେ ଚାପ ବଢ଼ିଛି। ଜାତୀୟ ଗୁରୁତ୍ୱ ବହନ କରୁଥିବା ଏହି କାର୍ଯ୍ୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି।
ଜନଗଣନା ପାଇଁ ସରକାରଙ୍କ ୱାର୍ଣ୍ଣିଂ । ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ
By madhulekha1 Min Read
