ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ୨୦୨୪-୨୫ ବଜେଟ୍ ଅଟକଳ ଉପରେ ଆଲୋଚନା ହୋଇଥିଲା । ୪୧୩ କୋଟି ଟଙ୍କା ଆୟ ବ୍ୟୟ ଅଟକଳ ହୋଇଥିବା ବେଳେ ୧୦୩ କୋଟିର ବଳକା ବଜେଟ୍ ହୋଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍ଆଇ ମରାମତି କାର୍ଯ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟିରେ ଅନୁମତି ମିଳିଛି।ଆଡପ ପହଣ୍ଡି ବିଜେ ଅଘଟଣ ନେଇ ଆଲୋଚନା ହୋଇଛି । ପରିଚାଳନା କମିଟିରେ ଦୁଃଖ ପ୍ରକାଶ ସହ କ୍ଷମାପ୍ରାର୍ଥନା କରାଗଲା । ତିନି ଜଣିଆ କମିଟି କାରଣ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ମୋବାଇଲ୍ ଫୋନ୍ ବ୍ୟବହାର, ଅଭିଜ୍ଞ ସେବାୟତ ନ ରହିବା ଥିଲା କାରଣ । ମୁଖ୍ୟ କାରଣ କ’ଣ ସେନେଇ ପୁନର୍ବାର ତଦନ୍ତ କରାଯାଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବେ । ସେହିପରି ଶ୍ରଦ୍ଧାଳୁଙ୍କ ସହଜ ଦର୍ଶନ ପାଇଁ ଶ୍ରୀମନ୍ଦିର ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା ହେବ। ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯିବ। ଏପରିକି ମହିଳାଙ୍କ ପାଇଁ ଅଲଗା, ପୁରୁଷଙ୍କ ପାଇଁ ଅଲଗା ଧାଡ଼ି କରାଯିବ।