ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ସହ ସ୍ପେସ୍ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ଦେଶ ହୋଇଛି ଭାରତ । ପୂର୍ବରୁ ଚୀନ, ରୁଷ ଓ ଆମେରିକା ଏହି ସଫଳତା ହାସଲ କରି ସାରିଛନ୍ତି ।
ଇସ୍ରୋ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି କି, ଭାରତ ଅନ୍ତରୀକ୍ଷ ଇତିହାସରେ ନିଜ ନାମ ଲେଖିଛି । ସ୍ପାଡେକ୍ସ ମିଶନରେ ଐତିହାସିକ ଡକିଂ ସଫଳତା ହାସଲ କରିଛି । ଏହି ମୁହୂର୍ତ୍ତ ଦେଖି ଗର୍ବ ଅନୁଭୂତ ହେଉଛି ।ସ୍ପେଡେକ୍ସ ମିଶନର ଚେଜର ସାଟେଲାଇଟ (SDX01)ରେ ୪.୫ କିଲୋଗ୍ରାମର ପୋପେଲାଣ୍ଟ ବା ଇନ୍ଧନ ରହିଛି। ଏହି ଇନ୍ଧନ ଜରିଆରେ ଦୁଇଥର ଡକିଂ ଏବଂ ଅନଡକିଂ କରାଯାଇପାରିବ। ତେବେ ବର୍ତ୍ତମାନ ଅପରେସନାଲ ୱିଣ୍ଡୋ ଜାନୁୟାରୀ ୨୦ରେ ବନ୍ଦ ହୋଇଯିବ। ଏହା ପରେ ଆଗାମୀ ଉପଯୁକ୍ତ ଡକିଂ ୱିଣ୍ଡୋ ମାର୍ଚ୍ଚ ୨୫ରେ ଖୋଲିବ, ଯାହାକୁ ଆହୁରି ୬୫ ଦିନ ବାକି ରହିଛି।ସ୍ପେଡେକ୍ସ ମିଶନ ଭାରତ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହାଦ୍ବାରା ଭାରତ ମହାକାଶରେ ଉପଗ୍ରହମାନଙ୍କର ନିର୍ଦ୍ଦିଷ୍ଟ ମିଳନସ୍ଥାନ ଏବଂ ଡକିଂ ପାଇଁ ଦରକାର ପଡୁଥିବା ବୈଷୟିକ ଜ୍ଞାନକୌଶଳକୁ ବିକଶିତ କରିପାରିବ। ଏହି ଜ୍ଞାନକୌଶଳ ଆଗାମୀ ଭବିଷ୍ୟତରେ ହେବାକୁ ଥିବା ମହାକାଶ ଅଭିଯାନ ଯେପରିକି ଚନ୍ଦ୍ରଯାନ ଏବଂ ଅନ୍ୟାନ୍ୟ ଅଭିଯାନଗୁଡ଼ିକ ଲାଗି ନିତାନ୍ତ ଆବଶ୍ୟକ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।