ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଗଣଶିକ୍ଷାମନ୍ତ୍ରୀ ତଥା ଶବରୀ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ, ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନକୁ ଆଦିବାସୀ ସଂସ୍କୃତି ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆମ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ କରି ୨୦୦ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରିଛନ୍ତି। ଏଥିରୁ, ଦକ୍ଷିଣ ଓଡିଶା, ବିଶେଷ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶର ଗତି ଦ୍ରୁତତର ହେବ ଏବଂ ଏହି ବିକାଶର ଜୟଯାତ୍ରାରେ ଶବରୀ ଭବନର ଗୁରୁ ଦାୟିତ୍ୱ ରହିବ।ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ମୁନା ଖାନ, ସାଂସଦ ବଳଭଦ୍ର ମାଝୀ, ଶବରୀ ସାଂସ୍କୃତିକ ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଶବରୀ ସାଂସ୍କୃତିକ ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଶବରୀ ସାଂସ୍କୃତିକ ସଂସଦର ଉପଦେଷ୍ଟା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭାତ୍ରା, କୋଟପାଡ଼ ବିଧାୟକ ରୂପା ଭାତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ରାୟଗଡ଼ା ବିଧାୟକ କଦ୍ରକ ଅପଲସ୍ବାମୀ, ବିଷମ କଟକ ବିଧାୟକ ନୀଳମାଧବ ହିକ୍କା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ମଂଚାସୀନ ଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଶବରୀ ସାଂସ୍କୃତିକ ପରିଷଦର ଉପ ସଭାପତି ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଏହା ଆୟୋଜିତ ହୋଇଥିଲା।