ଅଭିନେତା ସଲମାନ ଖାନ୍ଙ୍କ ପୂର୍ବତନ ପ୍ରେମିକା ସୋମି ଅଲ୍ଲୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଭିଡିଓ କଲ୍ ମାଧ୍ୟମରେ ଆଲୋଚନା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ସୋମି ଅଲୀ କହିଛନ୍ତି, ଲରେନ୍ସଙ୍କ ସହ କଥା ହୋଇ ସେ ଶାନ୍ତିର ପଦକ୍ଷେପ ଏବଂ କ୍ଷମା ଉପରେ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି । ପାରସ୍ପରିକ ବୁଝାମଣା ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରି ସେ ଅହିଂସାର କଥା କହିଛନ୍ତି ।
ସୋମି କହିଛନ୍ତି, ମୁଁ ପ୍ରାୟତଃ ସେମାନଙ୍କ ମନ୍ଦିର ଯାଇ ପ୍ରାର୍ଥନା କରେ । ଶାନ୍ତି ଆଣିବା ମୋର ଲକ୍ଷ୍ୟ । ଏହି ମାମଲା ସହ ଜଡ଼ିତ ଲୋକମାନେ ଅତୀତର ସେମାନଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିବା ଉଚିତ୍ ।ଗତ ମେ’ରେ ସୋମି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କହିଥିଲେ, କୃଷ୍ଣସାର ମୃଗ ଶିକାର କରିବା ମାମଲାକୁ ନେଇ ସଲମାନଙ୍କୁ ହତ୍ୟା ଧମକ ଦେବା ଓ ତାଙ୍କ ଗତିବିଧି ଉପରେ ନଜର ରଖିବା ଠିକ୍ ନୁହେଁ। ଏବେ ଉକ୍ତ ଘଟଣାକୁ ବହୁତ ବର୍ଷ ବିତିଗଲାଣି। ତେଣୁ ଘଟଣାକୁ ଭୁଲି ଯିବାକୁ ଓ ସଲମାନଙ୍କୁ କ୍ଷମା ଦେବାକୁ ସେ ବିଷ୍ଣୋଇ ସମାଜର ମୁଖ୍ୟଙ୍କୁ ଅନୁରୋଧ କରିଥିଲେ। ୯୦ ଦଶକରେ ସୋମି ଓ ସଲମାନଙ୍କ ପ୍ରେମ ସମ୍ପର୍କକୁ ନେଇ ବହୁ ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ସେ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ୧୯୯୯ରେ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିଲା। ସେବେଠାରୁ ସୋମି ମୁମ୍ବାଇ ଛାଡ଼ି ଆମେରିକାରେ ରହି ଆସୁଛନ୍ତି। ଯଦିଓ ସୋମି ଓ ସଲମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ତେବେ ମଧ୍ୟ ଅନେକବାର ସୋମି ବିଭିନ୍ନ ପ୍ରସଙ୍ଗରେ ସଲମାନଙ୍କୁ ସମର୍ଥନ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଉଥିବାର ଦେଖିବାକୁ ମିଳିଛି।