‘ଆଗକୁ ମୁଁ ଭଲ ସିନେମା କରିବି ଏବଂ ଭଲ ବ୍ୟବସାୟ କରିବି। ଆମ ସିନେମାରେ ଭଲ ବ୍ୟବସାୟ ହେଉନାହି। ଏଥି ପାଇଁ କିଛି ଲୋକ ଦାୟୀ। ଯୁବପିଢ଼ିଙ୍କ ପାଇଁ ଓଲିଉଡ୍କୁ ଅପ୍ଡେଟ୍ ହେବାକୁ ପଡ଼ିବ। ଦଶହରା ଓ ରଜ ସମୟରେ ଯେଉଁ ଚଳଚ୍ଚିତ୍ର ରିଲିଜ ହେଉଛି, ସେହି ସମୟରେ ସିନେମା ହଲ୍ରେ ଦର୍ଶକଙ୍କର ଭିଡ ହେଉଛି। ବର୍ଷର ଅନ୍ୟ ସମୟରେ ଚଳଚ୍ଚିତ୍ର ରିଲିଜ ହେଲେ ଦର୍ଶକଙ୍କ ଭିଡ ରହୁନାହିଁ। ଚଳଚ୍ଚିତ୍ର ‘ଦମନ’ ଓ ‘କର୍ମ’ ଭଳି ସିନେମା ପ୍ରସ୍ତୁତ କରିବାକୁ ହେବ। ଏହି କଥା ମନୋଜ କହିଥିବା ବେଳେ ଅନ୍ୟପକ୍ଷେ ମଙ୍ଗଳବାର ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ୪୦ ଜଣ ନିର୍ଦ୍ଦେଶକ ସାଇବର ଥାନାରେ ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବାର ପ୍ରାୟ ୨୪ ଘଣ୍ଟା ପରେ ଆଜି ସାମ୍ନାକୁ ଆସିଛନ୍ତି ମନୋଜ ମିଶ୍ର। ସାମ୍ୱାଦିକ ସମ୍ମିଳନୀ କରି ଓଲିଉଡ୍ର ନିର୍ଦ୍ଦେଶକଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ସିନେମା ମୋ ବୋପାର ନୁହେଁ। ଏହା ଆମ ଓଡ଼ିଶାର। ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ। ଆଗକୁ ଖରାପ ସିନେମା ହେଲେ ବିରୋଧରେ କରିବି। ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ। ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି। ମନୋଜ ମିଶ୍ରଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ସେ କହିଛନ୍ତି, ସିଏ କ’ଣ ପାଇଁ କହୁଛନ୍ତି ଓ ଲେଖୁଛନ୍ତି ମୁଁ ଜାଣିନି। ଆଜକୁ ୬ ମାସ ତଳେ ସେ ମୋ ବିରୋଧରେ ବହୁତ ଲେଖିଲେ ଓ ତାଙ୍କ ଚ୍ୟାନେଲ୍ରେ ବହୁତ କହିଥିଲେ। ମୁଁ ସେଥିପ୍ରତି ବିଶେଷ ଧ୍ୟାନ ଦେଲିନାହିଁ। ଭାବିଲି ପିଲାଳିଆମି ଯାଇନି, ତେଣୁ ସେ ଏମିତି କରୁଛନ୍ତି। ଦେଖିଲି ସେ ଧୀରେ ଧୀରେ ଅନ୍ୟ ନିର୍ଦ୍ଦେଶକଙ୍କ ବିରୋଧରେ କହିବାରେ ଲାଗିଲେ। ଏ ନେଇ ନିର୍ଦ୍ଦେଶକ ସଂଘରେ ଆଲୋଚନା ହେଲା। ତା’ପରେ ଆମେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲୁ ବୋଲି ସବ୍ୟସାଚୀ ଅଭିଯୋଗ କରିଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।