ପ୍ୟାରିସ୍ରେ ଅନୁଷ୍ଠିତ ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ପଞ୍ଚମ ପଦକ ବିଜୟୀ ହୋଇଛନ୍ତି ପିସ୍ତଲ ଶୁଟର ରୁବିନା ଫ୍ରାନ୍ସିସ୍। ସେ ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି । ଭାରତର ପ୍ରଥମ ମହିଳା ପିସ୍ତଲ ସୁଟର ଭାବେ ପାରାଲିମ୍ପିକ୍ସ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୁବିନା । ପ୍ୟାରିସ୍ କ୍ରୀଡ଼ାରେ ସୁଟିଂରେ ଭାରତକୁ ଚତୁର୍ଥ ପଦକ ମିଳିଛି । ୮ଜଣ ଶୁଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ରୁବିନା ଚମତ୍କାର ପ୍ରଦର୍ଶନ କରିଥିଲେ। ୧୮ ତମ ରାଉଣ୍ଡ ପର୍ଯ୍ୟନ୍ତ ରୁବିନା ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେବେ ୧୯ ଓ ୨୦ ତମ ଶଟ୍ରେ ରୁବିନା ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏହି ଦୁଇ ଶଟ୍ରେ ସେ ୯.୮ ଓ ୮.୯ ପଏଣ୍ଟ ସ୍କୋର କରିଥିଲେ। ସେ ତୃତୀୟ ଓ ପଞ୍ଚମ ସିରିଜରେ ୯୫ ପଏଣ୍ଟ ଏବଂ ଅନ୍ତିମ ସିରିଜରେ ୯୪ପଏଣ୍ଟ ହାସଲ କରିଥିଲେ । ଗତ ଟୋକିଓ ପାରାଲିମ୍ପିକ୍ସରେ ରୁବିନା ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ପଦକ ସ୍ୱପ୍ନ ପୂରଣ କରିବାରେ ବିଫଳ ହୋଇଥିଲେ ।