ସାତକୋଶିଆ ଜଙ୍ଗଲରେ ଏବେ ଶୁଭିବ ଏଭଳି ଗର୍ଜନ। ସୁନ୍ଦରୀ ବିନା ଶୂନଶାନ ହୋଇପଡିଥିଲା ସାତକୋଶିଆ।ହେଲେ, ୩ ବର୍ଷ ପରେ ପୁଣି ଥରେ ଜଙ୍ଗଲରେ ରାଜ କରିବ ମହାବଳ। ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ୨୦୧୮ରେ ଦେଶରେ ଓଡ଼ିଶା ପ୍ରଥମ ଥର ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଆରମ୍ଭ କରିଥିଲା। କିନ୍ତୁ ଚାରି ବର୍ଷରେ ଏହି ପ୍ରକଳ୍ପ ଫେଲ ମାରିଥିଲା। ସ୍ଥାନୀୟ ଲୋକଙ୍କ ଅସହଯୋଗ ଓ ବନ ଅଧିକାରୀଙ୍କ ଅପାରଗତା ପାଇଁ କୋଟି କୋଟି ଟଙ୍କା ପାଣିରେ ପଡିଥିଲା। ସାତକୋଶିଆର ଅଭୟାରଣ୍ୟ ମାନ୍ୟତା ବଜାୟ ରଖିବାକୁ ଏବେ ଜଙ୍ଗଲରେ ବାଘ ନିହାତି ରହିବା ଆବଶ୍ୟକ ହୋଇପଡିଛି। ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ ସାତକୋଶିଆରେ ବାଘବଂଶ ବୃଦ୍ଧି କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି। ବ୍ୟାଘ୍ର ଅଭୟାରଣ୍ୟ ହୋଇଥିଲେ ମଧ୍ୟ ଏଠାରେ ଗୋଟିଏ ବାଘ ନ ଥିବା ଜଣାପଡ଼ିବା ପରେ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ ପୁଣିଥରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲୁ। ତାହାକୁ ଏନ୍ଟିସିଏ ଗ୍ରହଣ କରିବା ସହ ୭ ମାସ ଧରି ସେମାନଙ୍କର ଏକ ବୈଷୟିକ କମିଟି ସାତକୋଶିଆ ଅଭୟାରଣ୍ୟକୁ ଅନୁଧ୍ୟାନ କରୁଥିଲେ। ଏହି ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଯଥେଷ୍ଟ ସମ୍ଭାବନା ରହିଥିବା ସମ୍ପୃକ୍ତ କମିଟି ରିପୋର୍ଟ ଦେବା ପରେ ଏନ୍ଟିସିଏ ଅନୁମତି ଦେଇଛି|ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ। ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ୫ ବର୍ଷିଆ ଯୋଜନା। ଏନଟିସିଏ ପକ୍ଷରୁ କିଛି ସର୍ତ୍ତ ସହ ପୁର୍ନବାର ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଚଳାଇବାକୁ ସବୁଜ ସଂକେତ ମିଳିଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଜଙ୍ଗଲରୁ ବାଘ, ବାଘୁଣୀ ଆଣି ସାତକୋଶିଆରେ ଛାଡ଼ିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି।