ବାଲେଶ୍ୱର ଜଳେଶ୍ୱର ବ୍ଲକ ନମୋକନା ଗାଁର ରବିନ୍ଦ୍ର ବାରିକଙ୍କ ମଝିଆଁ ପୁଅ ଅଜୟ ବାରିକ।ପୁଅ ହୋଇ ଜନ୍ମ ହୋଇଥିଲେ ମଧ୍ୟ ପିଲାଟି ଦିନରୁ ଝିଅଙ୍କ ଭଳି ଆଚରଣ କରୁଥିଲେ।ଝିଅମାନଙ୍କ ସହିତ ସାଙ୍ଗ ହେବାକୁ ପସନ୍ଦ କରୁଥିଲେ। ନିଜକୁ ଜଣେ ଝିଅ ଭାବି ସମସ୍ତ କାର୍ୟ୍ୟ କରୁଥିଲେ। ପାଠପଢା ଶେଷ ହେବା ପରେ କୋଲକାତାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ବି ନାରୀ ଅସୁରକ୍ଷିତ। ତେଣୁ ଆଜିର ସମାଜରେ ପୁଅ ଅପେକ୍ଷା ଝିଅ ଜନ୍ମ ହେଲେ ଲୋକଙ୍କ ମନରେ ଘୃଣା ଭାବ ଜାଗ୍ରତ ହେଉଛି। ମହିଳାମାନଙ୍କ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ଜଣେ ମହିଳା ହିଁ ବୁଝିପାରିବ। ତେଣୁ ପୁଅରୁ ଝିଅ ହୋଇ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ରିଙ୍କି କହିଛନ୍ତି। ତେବେ ସେ ଦିଲ୍ଲୀରେ ଅସ୍ତ୍ରୋପଚାର କରି ଅଜୟରୁ ରିଙ୍କି ବାରିକ ପାଲଟିଯାଇଛନ୍ତି।
ପ୍ରଥମେ ପରିବାର ଲୋକ ବିରୋଧ କରୁଥିଲେ। ତାହାପି ସେ ହାର ମାନିନଥିଲେ ଏହାପରେ କୋଲକାତାର ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଅସ୍ତ୍ରପଚାର ମାଧ୍ୟମରେ ପୁଅରୁ ଝିଅ ହୋଇପାରିବ! ଏକଥା ଜାଣିବା ପରେ ନିଜ ଶରୀରରେ ଝିଅଙ୍କ ହରମନ ବୃଦ୍ଧି ପାଇଁ ଔଷଧ ଖାଇଲେ। ଧିରେ ଧିରେ ଶରୀରିକ ଗଠନରେ ପରିବର୍ତ୍ତନ ଆସିଲା। ୨୦୨୨ ଡିସେମ୍ବରରେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଇଥିଲେ। ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚରେ ଅଜୟ ବାରିକରୁ ରିଙ୍କି ବାରିକକୁ ପରିବର୍ତ୍ତନ ହୋଇଛନ୍ତି। ସେବେଠାରୁ ସେ ବିଭିନ୍ନ ସଙ୍ଗଠନ ସହ ଜଡିତ ହୋଇ ନାରୀ ସଶକ୍ତୀକରଣ ଏବଂ ସମାଜରେ ଅବହେଳିତ, ନିଷ୍ପେସିତ ନାରୀମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରୁଛନ୍ତି। ନିକଟରେ ଗାଁକୁ ଆସିବା ପରେ ଅଜୟ ଲିଙ୍ଗ ପରିବର୍ତ୍ତନ କରିଥିବା ସମ୍ପର୍କରେ ଜଣାପଡ଼ିଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।