ସମାଜରେ ଉଭୟ ଆସ୍ତିକ ନାସ୍ତିକ ଅଛନ୍ତି । ଉପରୋକ୍ତ ଶୁଭ ମୂହୁର୍ତ୍ତ ଦିନ ବାର ତିଥି ନକ୍ଷତ୍ର ରୀତିନୀତି କୁଳପରମ୍ପରାର କିଛିବି ର ମୂଲ୍ୟ ନଥାଏ ଯଦି ତୁମେ ଜଣେ ନାସ୍ତିକ । ଆଉ, ଯେବେ ତୁମେ ଜଣେ ନାସ୍ତିକ, ତେବେ ତୁମର ବିଶ୍ୱାସ କେବଳ ତର୍କରେ ଅଛି, କାହାରି କଥାରେ ନୁହେଁ କି ଲିଖିତ ଶାସ୍ତ୍ରରେ ବି ନୁହେଁ ଏବଂ ତର୍କ କେବେ ବିଶ୍ଵାସ ରଖିବା ଜାଣେ ନାହିଁ ।
ଯଦି ତୁମେ ଜଣେ ବିଶ୍ଵାସୀ, ତେବେ ତୁମେ ବିଶ୍ୱାସ କର ଯେ ସବୁକିଛି ଭଗବାନଙ୍କ ଦ୍ୱାରା ସୃଷ୍ଟି । ଏହାର ଅର୍ଥ ସମୟ ମଧ୍ୟ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇଛି । ଏପରି ବିଚାରରେ ସମସ୍ତ ମଙ୍ଗଳ କର୍ମ ପାଇଁ ସବୁ ସମୟ ଶୁଭ ହୋଇଥାଏ । ଅନେକ କ୍ଷେତ୍ରରେ ପାଣିଗ୍ରହଣର ନିର୍ଦ୍ଦିଷ୍ଟ ମୂହୁର୍ତ୍ତର ଅନୁପାଳନ ସମ୍ଭବ ହୋଇନଥାଏ । ପାଞ୍ଜିର ମତ ଭିନ୍ନତାରୁ କାଳ ନିର୍ଣ୍ଣୟ ମଧ୍ୟ ବିଶୁଦ୍ଧ ନୁହେଁ । ଏଣୁ ଶୁଭ ସମୟ ଏକ ଅର୍ଥହୀନ ଶବ୍ଦ । ସେହିପରି ଜନ୍ମ ସମୟ ଠିକରେ ଉଦ୍ଧୃତ ହୋଇପାରୁନଥିବାରୁ ଜାତକ ମେଳକ ମଧ୍ୟ ନିରର୍ଥକ ।
ହିନ୍ଦୁ ସନାତନ ଧର୍ମରେ ଯଦିଓ ଅନେକ ସଂସ୍କାର ରହିଛି ସେଥିରୁ ପ୍ରଧାନ ଷୋହଳ ପ୍ରକାରର ସଂସ୍କାର ଅଛି, ଯାହା ପ୍ରଧାନତଃ ବ୍ରାହ୍ମଣ ପରିବାରରେ ଚଳି ଆସୁଛି; କାଁଭାଁ ଆଉ କେତେକଙ୍କ ପରିବାରରେ ମଧ୍ୟ ପାଳିତ ହେଉଛି । ତେବେ ତନ୍ମଧ୍ୟରୁ କେବଳ ଗୋଟିଏ ‘ବିବାହ ସଂସ୍କାର’ ହିଁ ସମସ୍ତ ବର୍ଗ ରେ ପାଳିତ ହୋଇଆସୁଛି ।
ସଂସ୍କାର ତାହା, ଯାହା କି’ ଶୁଦ୍ଧ କରାଇଥାଏ, ଯୋଗ୍ୟ କରାଇଥାଏ । ସଂସ୍କାର ହେଉଛି ଏକ ଅନୁଭବ, ଏହା ଏକ ମାନସ କର୍ମ, ପ୍ରତିଯତ୍ନ (କଳ୍ପଦ୍ରୁମେ) । ସଂସ୍କାର ହେଉଛି ଜୀବନର ଆମୂଳ-ଚୂଳ ପରିବର୍ତ୍ତନ । ସଂସ୍କାର ପ୍ରକାଶରେ କୁହାଯାଇଛି- “ସଂସ୍କାରୋଲ୍ଲିଖିତୋ ମହାମଣିସମୋ ଦେଦୀପ୍ୟତେ ମାନବଃ” । ଅର୍ଥାତ- ସଂସ୍କାର ରୂପ ଶାଣରେ ଚଢି ମାନବ-ଜୀବନ ମହାମଣିସମ ଦେଦୀପ୍ୟମାନ ହୋଇଯାଏ ।
ଯେଉଁ ପରିବାରରେ ସମସ୍ତ ସଂସ୍କାର ପ୍ରଚଳିତ, ସେ ପରିବାରର ଲୋକେ ନିଶ୍ଚିତ ସଂସ୍କାରୀ ଅଟନ୍ତି । ସମାଜର ପ୍ରତ୍ୟେକ ବ୍ୟକ୍ତି ସଂସ୍କାରବାନ ହୁଅନ୍ତୁ । ଏତଦଦୃଷ୍ଟେ ସମଗ୍ର ସମାଜକୁ ଶାସ୍ତ୍ରୀୟ ସଂସ୍କାର ଧାରାରେ ଆଣିବା ପାଇଁ ପ୍ରୟାସ ହେବା ଦରକାର । ପ୍ରତି ପରିବାରରେ ସମସ୍ତ ପ୍ରକାରର ସଂସ୍କାର କିଭଳି ପ୍ରବେଶ କରିପାରିବ? ସେଥିପାଇଁ ସଂସ୍କାରର ଉଦ୍ଦେଶ୍ୟ ଏବଂ ସେଥିରେ ନିହିତ ମହାନ ଶିକ୍ଷା ଗୁଡିକୁ ବୁଝାଇ ସମସ୍ତଙ୍କୁ ରାଜି କରାଇ ବିଧାନକୁ ଆଣିପାରିଲେ ସନାତନ ଉଜ୍ଜ୍ଵଳ ହେବ ।
*ବିବାହ ଏକ ପବିତ୍ର ବନ୍ଧନ ବେଦ* ସମ୍ମତ ସଂସ୍କାର ଯାହାକି ଆଧ୍ୟାତ୍ମ୍ୟ କ୍ଷେତ୍ରରେ ଦୁଇ ଆତ୍ମାର ମିଳନର ପ୍ରକ୍ରିୟା ରୂପେ ସମାଜର ସବୁ ବର୍ଗରେ ଆଦୃତ ହୋଇଛି । ବିବାହ ସଂସ୍କାର ଶାସ୍ତ୍ରୀୟ ବିଧାନରେ ଅନୁଷ୍ଠିତ ହେବା କଥା କିନ୍ତୁ ଅବହେଳାରୁ ଅନେକଙ୍କ ବିରାଦରିରେ ଏହା ଚଳୁ ନାହିଁ ।
ସାମାନ୍ୟ କେତେକ ଧାର୍ମିକ ଗ୍ରନ୍ଥର ଦ୍ଵାହି ଦେଉ ଥିବା ଶାସ୍ତ୍ର ରହସ୍ୟ ଅବୁଝା ପଣ୍ଡିତ ମାନଙ୍କର ଅନମନୀୟତାରୁ ସମାଜର ବଡ ବର୍ଗ (ଦଳିତ –ବନବାସୀ)ଙ୍କୁ *ବୈଦିକ ସଂସ୍କାରରୁ ବଞ୍ଚିତ ରଖାଯିବା କଦାପି ଠିକ ନୁହେଁ* । ଧର୍ମ *ପାଳନରେ ଏକଚାଟିଆ ଅଧିକାର ଚଳିତ ସମାଜ କି ଆଗାମୀ ପିଢି ପାଇଁ କେବେ ଶୁଭଂକର ନୁହେଁ* । *ଅଗ୍ନି ସଂସ୍ପର୍ଶରେ ଆସୁଥିବା ତୃଣ କାଠ ଆଦିକୁ ଅଗ୍ନି ଯେଉଁପରି ଆତ୍ମସାତ କରି ନିଜ ସମାନ ରୂପ ଗୁଣ ଦେଇଥାନ୍ତି ସେପରି ଉଚିତ କି ସମାଜ ଶୀର୍ଷ ସ୍ଥାନୀୟ ମାନେ ନିଜ* ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକଙ୍କୁ ସମତୂଲ୍ୟ ବୋଧ କରାନ୍ତୁ ।
“ହିନ୍ଦୁ ମାନଙ୍କରେ ଅନ୍ତର୍ଜାତୀୟ ବିବାହ ନିଷେଧ” ଏହା ଏକ ରୂଢି ବାଦ । ଅତୀତରେ ବିଧି ସମ୍ମତ ଭାବେ ଅନ୍ତର୍ଜାତୀୟ ବିବାହ ହେଉଥିବାର ପ୍ରମାଣ ଇତିହାସ ପୁରାଣରୁ ମିଳେ । ଗୀତା ବର୍ଣ୍ଣିତ ବର୍ଣ୍ଣ ବ୍ୟବସ୍ଥା ଗୁଣ-କର୍ମ ଅନୁସାରୀ ଅଟେ । ଆଧୁନିକ ସମାଜ ଏବକୁ ଶିକ୍ଷା ଓ ଯୋଗ୍ୟତା ଦେଖି ଜାତୀୟ ବିବିଧତା, ପ୍ରଥା-ପରମ୍ପରାକୁ ଏଡେଇ ଯାଇ ପରସ୍ପରରେ ବିବାହ ସମ୍ବନ୍ଧ *ଯୋଡିଲାଣି ଓ ଆଗକୁ ଆହୁରି ଅଧିକ ହେବ ଏବଂ ନିଶ୍ଚେ ଦିନେ ନା ଦିନେ ଜାତି ବାଛ ବିଚାରର ପ୍ରାଚୀର ଭୁଷୁଡି ପଡିବ ଏବଂ ଏକ ନୂତନ ସମାଜର ଅଭ୍ୟୁଦୟ ଘଟିବ* । *ବୋଧହୁଏ ଗୀତୋକ୍ତ ସମାନ ବର୍ଣ୍ଣରୁ ଜାତ ବୈଧ ସନ୍ତାନମାନଙ୍କୁ ବର୍ଣ୍ଣ ସଂକର କୁହାଯିବା ଉଚିତ ନୁହେଁ, ଯାହା ବିଚାରଣୀୟ* । ପିତୃ ସତ୍ତା ପ୍ରଧାନ ସାମାଜରେ ଜନ୍ମିତ ସନ୍ତାନ ପିତୃ ବିରାଦରିର ହେବା କଥା କିନ୍ତୁ ଏବେ ସମାନ ଅଧିକାରରୁ ସନ୍ତାନ କେଉଁ ବିରାଦରିର ହେବ ତା’ ବି ବିଚାରଣୀୟ । ବର୍ତ୍ତମାନ କାଳ ହେଉଛି ପରିବର୍ତ୍ତନର କାଳ, ଆଗକୁ ହୁଏତ ଅନ୍ତର୍ଜାତୀୟ ବିବାହ ସର୍ବ ମାନ୍ୟ ଯେ ନହେବ ତା’ କିଏ କହିବ?
ଯେ କୌଣସି ପ୍ରକାର ବିବାହ ଏକ ସାମାଜିକ ସମ୍ବନ୍ଧ ଏବଂ ତାହାର କୌଣସି ଏକ ନିର୍ଦ୍ଦିଷ୍ଟ ବିଧାନ ସହିତ ସମ୍ପର୍କ ନାହିଁ । ବିବାହ ର ଅର୍ଥ ଦୁଇ କୁଳ ର ବନ୍ଧୁ ସମ୍ପର୍କ ତଥା ବିବାହ କରୁଥିବା ସ୍ତ୍ରୀ ଓ ପୁରୁଷଙ୍କର ପରସ୍ପର ପ୍ରତି ଥିବା ପ୍ରେମ ଏବଂ ପ୍ରତିଯତ୍ନ ର ନିର୍ବାହ ।
ସନାତନରେ ପ୍ରଚଳିତ ଏକମାତ୍ର ଏହି ବିବାହ ସଂସ୍କାର କେବଳ ନବ ଦମ୍ପତ୍ତିର ସାମାଜିକ ମିଳନ ସ୍ଵୀକୃତିରେ ସୀମିତ ନରହି ସମଗ୍ରଙ୍କ ପାଇଁ ଶିକ୍ଷାପ୍ରଦ ହେଉ । ବିବାହ ସଂସ୍କାରରେ ପ୍ରୟୋଗରେ ଆସୁଥିବା ବୈଦିକ ମନ୍ତ୍ର ଯେପରିକି- କନ୍ୟାଙ୍କର ପ୍ରତିଜ୍ଞା ବାକ୍ୟ , ବରଙ୍କର ପ୍ରତିଜ୍ଞା ବାକ୍ୟ, ସପ୍ତପଦୀ ବାକ୍ୟ , ଶିଳାରୋହଣ ବାକ୍ୟ ଓ ହୃଦୟାବଲମ୍ବନ ବାକ୍ୟ ଆଦି କର୍ମ ଗୁଡିକର ବ୍ୟାଖ୍ୟା ସହିତ ଯଦି ପ୍ରୟୋଗ ହୁଅନ୍ତା, ତେବେ ଚିତ୍ତାକର୍ଷକ ପରିବେଷଣରୁ ସଂସ୍କାର କର୍ମ ମହିମା ମଣ୍ଡିତ ହୋଇପାରନ୍ତା, ବିବାହ ସଂସ୍କାରର ଉଦ୍ଦେଶ୍ୟ ଏବଂ ଶିକ୍ଷାକୁ କନ୍ୟା ଓ ବର ସହଜରେ ହୃଦୟଙ୍ଗମ କରିପାରନ୍ତେ ଏବଂ ଉପସ୍ଥିତ ଅନ୍ୟମାନେ ମଧ୍ୟ ଉପକୃତ ହୁଅନ୍ତେ , ସବୁଦିଗରୁ ଭଲ ପ୍ରଭାବ ପକାନ୍ତା । ଏପରି ହୋଇ ପାରିଲେ ତାହା ଏକ ବାସ୍ତବ ଶୁଭ ବିବାହ ବୋଲି ବିବେଚିତ ହୋଇପାରନ୍ତା । ଏ ବିଷୟରେ ସମାଜ ସୁଧାରକ ଗଣ ଏବଂ ବିଶେଷ କରି ପୁରୋହିତ ବର୍ଗ ଆଗଭର ହେବା ସର୍ବାଦୌ ବାଞ୍ଛନୀୟ ।
ଅନୁଗମନରେ ମଙ୍ଗଳ ପ୍ରୟାସୀ । ବିଭିନ୍ନ ମାଧ୍ୟମରୁ ଯାହା ଦୃଷ୍ଟିକୁ ଆସିଲା ତାହା ପରଷିଲି; ତ୍ରୁଟି ଥିଲେ କ୍ଷମା ଦେବେ । ଏଥି ପୂର୍ବରୁ ସମାଜ ମଙ୍ଗଳ ଲକ୍ଷ୍ୟରେ ସଂକଳିତ ଛୋଟ ବଡ କିଛି ଆଲେଖ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି । ମଝିରେ କେଇ ଦିନ ବିରାମ ଥିଲା । ଏହି ଲେଖାରେ କାହାରିକୁ ଆକ୍ଷେପ କରିବାର ଉଦ୍ଦେଶ୍ୟ ନାହିଁ; ସେପରି ଅନୁଭୂତ ହେଉଥିଲେ କ୍ଷମା ପ୍ରାର୍ଥୀ ।