ପୁରୀ ଶରଧାବାଲି ଦଳାଚକଟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ୪ ଜଣ ଓଏଏସ୍ ଅଧିକାରୀଙ୍କୁ ସାମିଲ କରାଯାଇଛି।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।ଏହି ଟିମରେ ଅଛନ୍ତି ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁ । ଏହି ୪ ଜଣ ଓଏଏସ୍ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ ।
ଗତ ରବିବାର ଦିନ ସକାଳେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନେକ ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିଲେ।