ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଦାରୁ ଦିଅଁ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପାରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ ।ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ବରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ୟ ସ୍ନାନଯାତ୍ରା ପରେ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି । ଜ୍ବର ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ କରାଯାଇଛି । ମହାପ୍ରଭୁ ଦଇତା ପତି ସେବକମାନେ ଏହି ଉପଚାର ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ଏହି ଉପଚାର ବିଧି ୧୫ ଦିନ ଧରି ଚାଲିବ । ଏହାକୁ ମହାପ୍ରଭୁଙ୍କ ଅଣସର ନୀତି କୁହାଯାଏ । ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ମହାପ୍ରଭୁ ଚଳନ୍ତି ପ୍ରତିମା ସହ ପଟିଦିଅଁ ପୂଜା ପାଆନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେଵୀ ସୁଭଦ୍ରାଙ୍କ ସ୍ଥାନରେ ଦେଵୀ ଭୁବନେଶ୍ଵରୀଙ୍କୁ ପୂଜା କରାଯାଏ ।ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ । ମନ୍ଦିରକୁ ଶୂନଶାନ ରଖାଯାଏ । ତେବେ ଅଣସର ୧୫ ଦିନ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗୁପ୍ତ ନୀତି ହୋଇଥାଏ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ବିଜେ ପରେ ଓଦା ଲୁଗା ଉଲାଗି ସହ ପରମ୍ପରା ଅନୁଯାୟୀ ବିଶେଷ ଦିନ ଗୁଡ଼ିକରେ ଫୁଲୁରିତେଲ ଲାଗି, ଔଷଧ ଲାଗି, ଚକା ବିଜେ, ଚନ୍ଦନ ଲାଗି ଓ ଘଣା ଲାଗି ନୀତି ହୋଇଥାଏ । ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଥିବା ପଟି ଦିଅଁଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ମଦନ ମୋହନ, ଲକ୍ଷ୍ମୀ, ସରସ୍ଵତୀ, ରାମକୃଷ୍ଣ ନୃସିଂହ ଭଗବାନଙ୍କୁ ପୂଜା କରାଯାଏ ।ଏହି ଗୁରୁତ୍ୱପୂର୍ଣ ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FolIow) କରନ୍ତୁ ।