ଓଡିଶାର କ୍ରାଇମ୍ ବ୍ରାଞ୍ଚ ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।ସେଥିମଧ୍ୟରୁ ୧୫ ଟି ୱେବସାଇଟ୍ କୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ସମୟରେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି । ସାଧାରଣ ଲୋକଙ୍କୁ ଅନଲାଇନ୍ ବୁକିଂ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିବା ନାଁରେ ଠକୁଛନ୍ତି। ଫଳରେ ଅସୁବିଧା ସମୟରେ ଏବଂ କମ ଟଙ୍କାରେ ହୋଟେଲ ଖୋଜୁଥିବା ପର୍ଯ୍ୟଟକମାନେ ଏହି ନକଲି ସାଇଟ୍ଗୁଡ଼ିକର ଶିକାର ହେଉଛନ୍ତି। ଏହି ନକଲି ୱେବସାଇଟ୍ ପେଜଗୁଡିକ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ଅବିକଳ ଅସଲି ୱେବସାଇଟ୍ ପରି ଦୃଶ୍ୟମାନ ହୋଇଥାଏ । ସାଧାରଣ ଲୋକଟି ପାଇଁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇପଡ଼େ । ଠକମାନେ ବିଭିନ୍ନ ପ୍ରତିଷ୍ଠିତ ହୋଟେଲର ନକଲି ୱେବ ସାଇଟ୍ ପ୍ରସ୍ତୁତ କରିବା ସହ କମ ଟଙ୍କା, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସିଥାଏ ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ଜାଲ ୱେବସାଇଟ୍ ଚିହ୍ନଟ ଓ ବନ୍ଦ କାମ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଜାରି ରହିବ । ଅନ୍ୟପଟେ ହୋଟେଲ ବୁକିଂ ପୂର୍ବରୁ ପୁଲିସ ଦେଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ବୁକିଂ କରିବାକୁ ପରାମର୍ଶ ଦିଆଯାଇଛି । ନିର୍ଦ୍ଦେଶାବଳୀ ଅନୁସାରେ – ପ୍ରତିଷ୍ଠିତ ୱେବସାଇଟରେ ହୋଟେଲ ବୁକ କରିବା, ଟଙ୍କା ପୈଠ ପୂର୍ଵରୁ ଫୋନ କରି ହୋଟେଲ ସହ କଥା ହେବା, ହୋଟେଲ ଭଡା ଅଧା ପୈଠ କରିବା, upiରେ ନ ଦେଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗରେ ଦେବା, ଶସ୍ତାରେ ରୁମ ଦେଉଥିଲେ ତା ଠାରୁ ଦୂରେଇ ରହିବା, ୱେବସାଇଟରୁ ରିଭ୍ୟୁ ଓ ରେଟିଂ ଭଲ ଭାବେ ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି ।