ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଏହା ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍ କରାଯାଇଛି। ରିପୋର୍ଟ ମୁତାବକ, AICWA ପାକିସ୍ତାନୀ ତାରକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ପୁଣି ଥରେ ଦେଖାଯିବାକୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଛି।ସେ ସଙ୍ଗେ ସଙ୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପାକିସ୍ତାନୀ ସେଲିବ୍ରେଟିଙ୍କ ଆକାଉଣ୍ଟକୁ ପୁଣିଥରେ ବ୍ୟାନ କରାଯିବାର ଦାବି କରିଛି। AICWA କହିଛି ଯେ, ପାକ୍ ଷ୍ଟାର୍ସଙ୍କର ଇଣ୍ଡିଆରେ ସୋସିଆଲ ଆକ୍ଟିଭିଟି, ଆମ ସହିଦ ଯବାନଙ୍କ ବଳିଦାନର ସିଧା ଅପମାନ। ତେବେ ବୁଧବାର କିଛି ଘଣ୍ଟା ପାଇଁ ଭାରତରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଦେଖାଯିବା ଆରମ୍ଭ ହୋଇଥିଲା। ଅନୁମାନ କରାଯାଉଥିଲା ଯେ, ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି, କିନ୍ତୁ ଗୁରୁବାର ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ବନ୍ଦ ହୋଇଗଲା। ଶାହିଦ ଆଫ୍ରିଦି, ଫୱାଦ ଖାନ କିମ୍ବା ମାହିରା ଖାନଙ୍କ ଆକାଉଣ୍ଟ ଖୋଜିବାରେ ଲେଖାଯାଇଛି,‘ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନୁହେଁ।’ ଏହି ବିଷୟରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।