ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଅଳଙ୍କାର ଲାଗି ପୂର୍ବକ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି ୧୧ଟା ପରେ ବିଳମ୍ବିତ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ଆଜି ସନ୍ଧ୍ୟା ଆଳତୀ ସରିବା ପରେ ମହାଜନ ସେବାୟତ ମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ|ମଙ୍ଗାଳାର୍ପଣ ଏବଂ ବନ୍ଦାପନା ସରିବା ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇବେ। ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓହ୍ଲାଇ ଖଟ ଉପରେ ବିଜେ କରାଇବାର ପରମ୍ପରା ରହିଛି।