ପାଞ୍ଚ ବର୍ଷର ଜନ୍ମ କଲା ଝିଅକୁ ଶାଢ଼ୀ ଧଡ଼ିରେ ତଣ୍ଟି ଚିପି କଲା ହତ୍ୟା । ଏହି ଘଟଣାର ଦୁଇ ମାସ ପରେ ପିଶାଚିନୀ ମାଆକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କେମିତି ଜଣେ ମାଆ ନିଜ ସନ୍ତାନକୁ ଏପରି ନୃଶଂସ ଭାବେ ହତ୍ୟା କରି ପାରିବ ତାକୁ ଲୋକେ ଗ୍ରହଣ କରି ପାରୁ ନାହାନ୍ତି। ଅନ୍ଧ ବିଶ୍ୱାସର ବଶବର୍ତି ହୋଇ ମାଆ ଭୁଲିଯାଇଛି ମାନବିକତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଏ ଗାଁରେ । ପାଠ ପଢି ଫେରିଲା ବେଳେ ଖେଳକୁଦ କରିବାକୁ ଯାଉଥିବା ବେଳେ ପଡିଲା ମାଆ ହାବୁଡରେ । ଘରକୁ ଡାକିନେଇ ନିର୍ମମ ଭାବେ ହତ୍ୟା କରିଥିଲା ମାଆ ଆଶାଲତା ମହାପାତ୍ର । ସେଦିନ ଥିଲା ଫେବୃୟାରୀ ମାସ ୨ ତାରିଖ । ବାପ,ପୁଅ ସମସ୍ତେ ବାହା ଭୋଜି ରାନ୍ଧିବା ପାଇଁ ଯାଇଥିବା ବେଳେ ଘଟିଥିଲା ଏଭଳି ଘଟଣା । ତେବେ ଭୋଜି ଖାଇ ଆସି ଦେଖିଲା ବେଳକୁ କାନ୍ଦୁଛି ମାଆ ଆଶାଲତା ଆଉ ପରିବାରର ସମସ୍ତ ଆତ୍ମୀୟ ସ୍ୱଜନ ।
ତୁରନ୍ତ ବଡପୁଅ ଆକାଶ ମହାପାତ୍ର ନିଜ ଭଉଣୀକୁ ଧରି ଉଲୁଣ୍ଡା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହାପରେ ବୀରମହାରାଜପୁର ଥାନାରେ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ଥାନାରେ ଦାୟର ହୋଇଥିଲା । ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଝିଅର ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଉଲ୍ଲେଖ ରହିଥିଲା ।ଏହାକୁ ଆଧାର କରି ବୀରମହାରାଜପୁର ଥାନା ଅଧିକାରୀ ଏହାର ତଦନ୍ତ ଭାର ନେଇଥିଲେ । ତଦନ୍ତ ହେବାପରେ ନିଜ ମାଆ ହିଁ ଝିଅର ହତ୍ୟାକାରୀ ବୋଲି ଜାଣିବାକୁ ପାଇଥିଲା ପୋଲିସ୍ । ତେବେ ପୋଲିସ ତଦନ୍ତରେ ସେ ସବୁ କଥା ସ୍ବୀକାର କରି ଥିବା ଉପଖଣ୍ଡ ପୋଲିସ ଅଧିକ୍ଷକ ସୂଚନା ଦେଇଛନ୍ତି ।