କୁଳଡିହା ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖାଯାଆନ୍ତି । କୁଳଡିହାକୁ ଲାଗି ରହିଥିବା ଡ୍ୟାମ୍ ସାତଘାଟି, ରିସିଆ, ପୁରୁଣାପାଣି, ଜୋଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ମିଳେ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳ ଠାରେ ‘ରିସିଆ ପ୍ରକୃତି ନିବାସ’ ଖୋଲାଯାଇଛି । ରାତ୍ରରହଣି ନିମନ୍ତେ ୯ଟି ତମ୍ବୁଘର ହୋଇଛି । ଏହାସହ ନେଚର୍ସ କ୍ୟାମ୍ପ କରାଯାଇ ଖାଦ୍ୟ, ପିଇବା ପାଣି ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ମାଦକଦ୍ରବ୍ୟ ଉପରେ କଟକଣା ରହିଛି । ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଚାରିପାଖରେ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି । ଏହି ନେଚର୍ସ କ୍ୟାମ୍ପରେ ରହି ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାରରୁ କୁଳଡିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରକୃତିର ମଜା ନେଇପାରିବେ । ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍ ଲାଇନରେ ବୁକିଂର ବ୍ୟବସ୍ଥା ରହିଛି । ଏପରିକି ଏହି ବିଷୟରେ ଅଧିକ ଜାଣିବା ପାଇଁ ୱେବ୍ସାଇଟ୍ ecotourodisha.com ରହିଛି । ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି ।