ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ଅନ୍ୟପଟେ କିନ୍ତୁ ଜିଲ୍ଲାର ପୁରୁଣା ବଜାର , ଧାମନଗର ଓ ଦୋବଲ୍ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୬୩ ଧାରା ବଳବତ୍ତର ରହିଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା।ହେଲେ ଏବେ ଏହି କଟକଣାକୁ ହଟାଇଛି ପ୍ରଶାସନ । ସୂଚନାମୁତାବକ ସୋଶାଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟକୁ ନେଇ ଅଶାନ୍ତ ହୋଇ ଉଠିଥିଲା ଭଦ୍ରକ ସହର। ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ପୁଲିସ ଉପରକୁ ଆକ୍ରମଣ କରିବାରୁ ତିନି ଜଣ ପୁଲିସ ଅଧିକାରୀ ସହ କିଛି କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଆନ୍ଦୋଳନକାରୀ ଭାଙ୍ଗି ଦେଇଥିଲେ। ଏମିତିକି ଏହି ଘଟଣାକୁ ନେଇ ଧାମନଗର ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।