ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ଏହାପରେ ASI ସଂରକ୍ଷଣ ତଥା ମରାମତି କାର୍ଯ୍ୟ ହାତକୁ ନେବ। ଅତ୍ୟାଧୁନିକ ଯନ୍ତ୍ରପାତି , ଲେଜର ସ୍କାନିଂ ଓ ଜିପିଆରଏସ୍ ଭଳି ଅତ୍ୟାଧୁନିକ ଭାବରେ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି। ଉନ୍ନତ ଅନୁଷ୍ଠାନ ଯଥା ଆଇଆଇଟି ବିଶେଷଜ୍ଞ ଙ୍କ ଦ୍ଵାରା ଯାଞ୍ଚ ପାଇଁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଶୁକ୍ରବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା। ବାହାର ରତ୍ନଭଣ୍ଡାରରେ ଥିବା ଗୋଟିଏ ଲୁହା ସିନ୍ଦୁକ, ଭିତର ରତ୍ନଭଣ୍ଡାରରେ ଥିବା ୨ଟି କାଠ ଆଲମିରା, ଗୋଟିଏ ଲୁହା ଆଲମିରା, ୨ଟି କାଠ ସିନ୍ଦୁକକୁ ମିଶାଇ ମୋଟ ୭ଟି ଆଲମିରା ଓ ସିନ୍ଦୁକକୁ ଶ୍ରୀମନ୍ଦିର ପଶ୍ଚିମଦ୍ବାର ପାର୍ଶ୍ବ ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଗୃହକୁ ସ୍ଥାନାନ୍ତର କରାଯାଇଥିଲା।ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଏବଂ ମରାମତି କାମ ହାତକୁ ନେବାକୁ ASIକୁ ଅନୁରୋଧ କରାଯାଇଛି। ଯାହାଫଳରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ଗୁଡ଼ିକର ଗଣତି ମଣତି କରାଯାଇ ପୁଣି ଥରେ ମୂଳ ରତ୍ନଭଣ୍ଡାରକୁ ସେସବୁକୁ ଫେରାଇ ଅଣାଯାଇ ସୁରକ୍ଷିତ ରଖାଯିବ ବୋଲି ମୁଖ୍ଯ ପ୍ରଶାସକ ଚିଠିରେ ଅନୁରୋଧ କରିଛନ୍ତି।