ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ । ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚ ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ସୋମବାର ଯଜ୍ଞ ମଣ୍ତପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ପରଂପରା ଅନୁଯାୟୀ ଅଭିମାନିନୀ ମହାଲକ୍ଷ୍ମୀ ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ ବନ୍ଦାପନା କରିବେ।
ତେବେ ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବ। ମହାପ୍ରଭୁଙ୍କ ଭେଟ ନପାଇ ଅଭିମାନ କରିବେ ମା ମହାଲକ୍ଷ୍ମୀ। ଅଭିମାନିନୀ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ। ଏହାପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ। ଏହାପରେ ତିନିରଥକୁ ଦକ୍ଷିଣମୋଡ କରି ମହାପ୍ରଭୁ ବାହୁଡାଯାତ୍ରା ପାଇଁ ନିର୍ଦ୍ଦେଶ ଦେବେ। ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଲାଗିବ ।