ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦ ହିତାଧିକାରୀଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପରେ ୨ୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ସ୍ଥିତି ସମୀକ୍ଷାକରିଛନ୍ତି ।ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ୧କୋଟି ହିତାଧିକାରୀଙ୍କ ମଧ୍ୟରୁ ପ୍ରଥମ କିସ୍ତି ପ୍ରଦାନ ପରେ ଅବଶିଷ୍ଟ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ୨୦୨୫ ମାର୍ଚ୍ଚ ୮ତାରିଖ ପୂର୍ବରୁ ମିଳିବା ନେଇ ଲକ୍ଷ୍ୟ ରହିଛି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଆଗାମୀ ଅକ୍ଟୋବର୯ରେ ପ୍ରଦାନ ପାଇଁ ଘୋଷଣା କରିଛନ୍ତି।ଏହି ପରିପ୍ରେକ୍ଷୀରେ ୨ୟପର୍ଯ୍ୟାୟରେ ଯେତେ ଅଧିକ ସଂଖ୍ୟକ ସମ୍ଭବ ହିତାଧିକାରୀଙ୍କୁ ଅକ୍ଟୋବର ୯ତାରିଖରେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରେରଣ କରାଯିବ, ସେଥି ପାଇଁ ପ୍ରକ୍ରିୟା ଜାରି ରହିଛି। ଅଦ୍ୟାବଧି ସୁଭଦ୍ରାରେ ପ୍ରାୟ ୯୮ ଲକ୍ଷ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି ।
ଆବଶ୍ୟକ ବ୍ୟବସ୍ଥା ପାଇଁ ଅକ୍ଟୋବର ୬ ତାରିଖସୁଦ୍ଧା ପ୍ରସ୍ତୁତି ସାରିବାକୁ ସଂପୃକ୍ତ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।ଏହି ପ୍ରକ୍ରିୟାରେ ପ୍ରଥମ କିସ୍ତି ଅର୍ଥରାଶି ପାଇଥିବା ହିତାଧିକାରୀ କେତେ ଉତ୍ସାହିତ ଅଛନ୍ତି, ଏହି ଆର୍ଥିକ ସହାୟତା ସେମାନଙ୍କ ଜୀବନରେ କିପରି ସହାୟକ ହୋଇଛି ଆଦି ସଂପର୍କରେ ମତାମତ ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ତତ୍ ସହିତ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ‘ସୁଭଦ୍ରା’ ସଂପର୍କିତ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।