ପ୍ରସିଦ୍ଧ ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ ଯାଦବ ଚେକ୍ ବାଉନ୍ସ ମାମଲାରେ ଏବେ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି । ଅନେକ ଥର କୋର୍ଟର ସମୟସୀମା ବୃଦ୍ଧି ସତ୍ତ୍ୱେ ଋଣ ପରିଶୋଧ କରି ନ ପାରିବାରୁ ସେ ଆତ୍ମସମର୍ପଣ କରିଥିଲେ । ପୂର୍ବରୁ ସେ କର୍ତ୍ତୃପକ୍ଷଙ୍କୁ ତାଙ୍କର ଆର୍ଥିକ ପରିସ୍ଥିତି ବିଷୟରେ ବୁଝାଇଥିଲେ । ଭାବପ୍ରବଣ ହୋଇ ରାଜପାଲ କହିଥିଲେ ଯେ, ତାଙ୍କ ପାଖରେ ଟଙ୍କା ନାହିଁ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ବନ୍ଧୁ ମଧ୍ୟ ନାହାନ୍ତି।। ରାଜପାଲଙ୍କ ଜାମିନ ଶୁଣାଣି ଗୁରୁବାର ଅନୁଷ୍ଠିତ ହେବ। ଏନେଇ ତାଙ୍କ ପରିବାର ଓ ପ୍ରଶଂସକମାନେ ଆଶାବାଦୀ ରହିଛନ୍ତି। ରାଜପାଲଙ୍କ ମ୍ୟାନେଜର ଗୋଲ୍ଡିଙ୍କ ସୂଚନା ଅନୁଯାୟୀ, ଅଭିନେତାଙ୍କୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ବଲିଉଡ୍ ଏକଜୁଟ୍ ହୋଇଛି।ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ଭଳି ଆଗଧାଡିର ନେତା ଆର୍ଥିକ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି। ନିର୍ଦ୍ଦେଶକ ଡେଭିଡ୍ ଧୱନ ଏବଂ ତାଙ୍କ ପୁଅ ବରୁଣ ଧୱନ ମଧ୍ୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
