ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି। ନିକଟରେ ହାଇଦ୍ରାବାଦରେ ଅନୁଷ୍ଠିତ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିଲେ ନୀନା। ସେଠାରେ ତାଙ୍କର କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଦାବି କରିଥିଲେ ଯେ, ନୀନାଙ୍କ ‘ବେବି ବମ୍ପ’ ଦେଖାଯାଉଛି। ଫଳରେ ୬୬ ବର୍ଷ ବୟସରେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।ତେବେ ଏହି ଗୁଜବ ଉପରୁ ପରଦା ହଟାଇଛନ୍ତି ନିଜେ ଅଭିନେତ୍ରୀ। ଏକ ସାକ୍ଷାତକାରରେ ଏହାକୁ ହସି ହସି ଉଡ଼ାଇ ଦେବା ସହ ସେ କହିଛନ୍ତି, “ମୋତେ ଏବେ ଅସଲ ଜୀବନରେ ‘ବଧାଇ ହୋ’ର ଆବଶ୍ୟକତା ନାହିଁ।” ନୀନା ସ୍ପଷ୍ଟ କରିଛନ୍ତି ଯେ ସେ ଗର୍ଭବତୀ ନୁହନ୍ତି। ସେଦିନ ସେ ପିନ୍ଧିଥିବା ଶାଢ଼ିର କପଡ଼ା ମୋଟା ଥିବାରୁ ଫଟୋରେ ସେମିତି ଦେଖାଯାଉଥିଲା ବୋଲି ସେ ସଫେଇ ଦେଇଛନ୍ତି।
ନୀନା ଗୁପ୍ତା ସବୁବେଳେ ନିଜ ସାହସିକ ନିଷ୍ପତ୍ତି ପାଇଁ ଜଣାଶୁଣା। ୧୯୮୦ ଦଶକରେ ଓ୍ୱେଷ୍ଟଇଣ୍ଡିଜ୍ କ୍ରିକେଟର ବିବିଆନ ରିଚାର୍ଡସଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଏବଂ ବିନା ବିବାହରେ ମା’ ହେବା ସେ ସମୟରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା। ସେହି ସମୟରେ ଝିଅ ମସାବା ଜନ୍ମ ହୋଇଥିଲେ। ୨୦୦୮ରେ ସେ ଦିଲ୍ଲୀର ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ବିବେକ ମେହରାଙ୍କୁ ବିବାହ କରିଥିଲେ।
