ଇରାନ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ ପରେ ୟୁଏଇର ପରିସ୍ଥିତି ସଙ୍କଟ ଜନକ ରହିଛି। ଅନେକ ସ୍ଥାନରେ ଆକାଶ ମାର୍ଗ ବନ୍ଦ ଏବଂ ବିମାନ ବାତିଲ ହେବା ଯୋଗୁ ବଲିଉଡ ତଥା ଆନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମେତ ଶହ ଶହ ଯାତ୍ରୀ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ତଥା ଜାୟଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଫସି ରହିଛନ୍ତି। ଯୁଦ୍ଧ ଭିତରେ ଦୁବାଇରେ ଫସିଛନ୍ତି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଜୟ ଭଟ୍ଟାଚାର୍ଯ୍ୟ। ଜୟ ଦୁବାଇରେ ଫସି ରହିଥିବା ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଅଭିଜିତ୍। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।
ତାଙ୍କ ପୁଅକୁ ଦୁବାଇରୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଶୀଘ୍ର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଜୟ ବି ଜଣେ ସୁପରିଚିତ ଗାୟକ ଭାବେ ବେଶ୍ ପରିଚିତ। ଏକ ମର୍ମସ୍ପର୍ଶୀ ପୋଷ୍ଟରେ ଅଭିଜିତ୍ ଲେଖିଛନ୍ତି, ମୋ ପୁଅ ଜୟ ଭଟ୍ଟାଚାର୍ଯ୍ୟ ବର୍ତ୍ତମାନ ଦୁବାଇରେ ଫସି ରହିଛି, ଏବଂ ଜଣେ ପିତା ଭାବରେ, ଏହା ଆମ ପରିବାର ପାଇଁ ଏକ ଅତ୍ୟନ୍ତ କଷ୍ଟଦାୟକ ସମୟ। ମୁଁ ଭାରତ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ବିନମ୍ରତାର ସହ ଅନୁରୋଧ କରୁଛି ଯେ, ଦୟାକରି ମୋ ପରିସ୍ଥିତି ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଯଥାଶୀଘ୍ର ସମ୍ଭବ ମୋ ପୁଅକୁ ଭାରତକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବାରେ ସହାୟତା କରନ୍ତୁ। ଏହି କ୍ଷେତ୍ରରେ ଆମେ ଆପଣଙ୍କ ତୁରନ୍ତ ସହଯୋଗ ଏବଂ ହସ୍ତକ୍ଷେପ ଆଶା କରୁଛୁ। ଦୟାକରି ମୋ ପୁଅକୁ ସୁରକ୍ଷିତ ଭାବରେ ଘରକୁ ଫେରାଇ ଆଣିବାରେ ସାହାଯ୍ୟ କରନ୍ତୁ।”
