ଆଖିରେ ସମସ୍ୟା ପାଇଁ କିଛି କମ୍ପାନୀ ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦେଉଥିବା ସାମ୍ନାକୁ ଆସିଛି। ତେବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆଇ ଡ୍ରପ୍ ‘ପ୍ରେସଭ୍ୟୁ’ର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରିଛି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ। ସୂଚନା ଅନୁସାରେ, ସିଡିଏସସିଓ(କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ) ପକ୍ଷରୁ ଏହି ଔଷଧର ଉତ୍ପାଦନ ଏବଂ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି। କେବଳ ପ୍ରେସକ୍ରିପସନ ଜରିଆରେ ରୋଗୀ ଔଷଧ କିଣିବାକୁ ଅନୁମତି ମିଳିଥିବାବେଳେ କମ୍ପାନୀ ଏହାକୁ ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରୟ କେନ୍ଦ୍ରରେ ରୋଗୀଙ୍କୁ ଉପଲବ୍ଧ କରାଉଥିଲା। ସେହିପରି ବିଭିନ୍ନ ଗଣମାଧ୍ୟମରେ ଭ୍ରାନ୍ତ ବିଜ୍ଞାପନ ଜରିଆରେ ନିଜର ପ୍ରଚାର ପ୍ରସାର କରୁଥିଲା। ଯାହାର ସତ୍ୟତା ଉପରେ ପ୍ରଶ୍ନ ଉଠିବାରୁ ଔଷଧର ଉତ୍ପାଦନ ଏବଂ ବିକ୍ରୟ ଅନୁମତିକୁ କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି। ପରବର୍ତ୍ତୀ ନିର୍ଦେଶ ନ ମିଳିବା ଯାଏ କମ୍ପାନୀ ଏହି ଉତ୍ପାଦକୁ ବିକ୍ରି କରିପାରିବ ନାହିଁ ବୋଲି କୁହାଯାଇଛି। ଏହାକୁ Presbyopia ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯିବ କୁହାଯାଇଥିଲା । ଅର୍ଥାତ ପଢ଼ିବା ପାଇଁ ବ୍ୟବହାର ହେଉଥିବା ଚଷମା ବଦଳରେ ଏହି ଆଇ ଡ୍ରପକୁ ବ୍ୟବହାର କରାଯାଇ ପାରିବ। Presbyopia ସାଧାରଣତଃ ବୟସ ବଢ଼ିବା ସହ ସୃଷ୍ଟି ହୋଇଥାଏ । ଏଥିଯୋଗୁ ପାଖ ଜିନିଷକୁ ଫୋକସ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟା ପ୍ରାୟ ୪୦ରୁ ବର୍ଷରୁ ଆରମ୍ଭ ହୋଇ ୬୦ ବର୍ଷ ଅତିକ୍ରମ କରିବା ଯାଏ ରହିଥାଏ।ତେବେ ପଢ଼ାପଢ଼ି ସମସ୍ୟାକୁ ଦୂର କରିବା ପାଇଁ ENTOD ଫାର୍ମାସିଟ୍ୟୁକାଲ୍ସ ତିଆରି କରିଥିଲା |