ଡାଇବେଟିସ୍ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି । ଡାଇବେଟିସ୍ ଯଦି ଜଟିଳ ଆକାର ଧାରଣ କରେ ଏବଂ ରକ୍ତରେ ସୁଗାର ପରିମାଣ ଅଧିକାଂଶ ସମୟ ଅସନ୍ତୁଳିତ ରହେ, ତେବେ ଏହାର ପ୍ରଭାବ ହାର୍ଟ, କିଡ୍ନୀ ଏପରି କି ଦୃଷ୍ଟିଶକ୍ତି ଉପରେ ପଡ଼ିଥାଏ। ଅସନ୍ତୁଳିତ ଜୀବନଶୈଳୀ ଏଥିପାଇଁ ଅନେକାଂଶରେ ଦାୟୀ। ତେଣୁ ଏହାକୁ ସନ୍ତୁଳିତ ରଖିବା ପାଇଁ ପ୍ରଥମେ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ। ଏକ ରୁଟିନ୍ ଜୀବନଶୈଳୀ ଅନୁସରଣ କରନ୍ତୁ। ବିଶେଷଭାବରେ ଖାଦ୍ୟପେୟ ଏବଂ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତୁ। ତେଣୁ ନିୟମିତ ସମୟ ବ୍ୟବଧାନରେ ସମ୍ପୂର୍ଣ୍ଣ ଶରୀର ଚେକ୍ଅପ୍ କରାଇ ନେବାକୁ ଆଦୌ ଭୁଲନ୍ତୁ ନାହିଁ। ତା’ସହ ରକ୍ତରେ ସୁଗାର ପରିମାଣ ସନ୍ତୁଳିତ ଅଛି କି ନାହିଁ ତାହାର ଠିକ୍ ସମୟ ବ୍ୟବଧାନରେ ପରୀକ୍ଷା କରି ଜାଣି ନିଅନ୍ତୁ।ଡାଇବେଟିସ୍ ବା ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କାରଣ ଡାଏବେଟିସ୍ ରୋଗୀ ଯାହା ଖାଉଛନ୍ତି, ତା’ର ପ୍ରଭାବ ଶରୀରର ଇନ୍ସୁଲିନ୍ ଉପରେ ସିଧାସଳଖ ପଡ଼ିଥାଏ ବୋଲି ଡାଏଟିସିଆନ୍ କୁହନ୍ତି।ଡାଇବେଟିସ୍ ରୋଗୀଙ୍କ ପାଇଁ ମେଥିପାଣି ବେଶ୍ ଉପାଦେୟ। ଏହି ପାଣି ଶରୀରରେ ବ୍ଲଡ୍ ସୁଗାର ବା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ। ମେଥିରେ ଗେଲେକ୍ଟୋମ୍ୟାନନ୍ ନାମକ ଏକ ଫାଇବର ରହିଛି। ଯାହା ରକ୍ତରେ ସୁଗାର ଅବଶୋଷଣ କମ୍ କରିଥାଏ। ମେଥିପାଣି ନିୟମିତ ସେବନ କଲେ ଡାଇବେଟିସ୍ ନିୟନ୍ତ୍ରଣରେ ରହିଥାଏ।