ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା। ଧଉଳି ପାଦ ଦେଶରେ ଦୟାନଦୀ କୂଳରେ ଭାରତ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ ଆସିଥିଲା। ମଗଧର ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଯୁଦ୍ଧର ବିଭୀଷିକା ଧର୍ମାଶୋକରେ ପରିଣତ କରିଥିଲା। ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଙ୍ଘମିତ୍ରାଙ୍କୁ ସିଂହଳ ଦେଶକୁ ଏହି ଓଡିଶାରୁ ପଠାଇଥିବା ବିଶ୍ବାସ କରାଯାଏ | ନୌବାଣିଜ୍ୟ ପରମ୍ପରାରେ ଓଡିଶା ସାଧବ ପୁଅ ମାନେ ସିଦ୍ଧହସ୍ତ ଥିଲେ। ବୋଇତରେ ସେମାନେ ସାତ ସମୁଦ୍ର ପାର ହୋଇ ବାଣିଜ୍ୟ କାରବାର କରିବାକୁ ଯାଉଥିଲେ। ଭାରତର ଅନ୍ୟ କୌଣସି ରାଜ୍ୟର ଲୋକମାନେ ସେତେବେଳେ ବୋଇତରେ ସମୁଦ୍ରଯାତ୍ରା ବିଷୟରେ ଜାଣି ନଥିଲେ। ତେଣୁ ବୌଦ୍ଧ ଧର୍ମର ପ୍ରଚାର ପାଇଁ ଯାଉଥିବା ବୌଦ୍ଧ ସନ୍ୟାସୀ ମାନେ ଓଡିଶାରୁ ବିଦେଶକୁ ଯାଉଥିଲେ। ସେଥିପାଇଁ ଓଡିଶାରେ ବୌଦ୍ଧ ଧର୍ମର ବହୁଳ ପ୍ରସାର ଘଟିଥିଲା। ଯାହାର ଐତିହାସିକ ମୁକସାକ୍ଷୀ ଭାବେ ରତ୍ନଗିରି, ଲଳିତଗିରି, ଉଦୟଗିରି ଓ ଖଣ୍ଡଗିରି ଆଦିରେ ବୌଦ୍ଧ ବିହାର, ଗୁମ୍ଫା ଓ ଭଗ୍ନାବଶେଷ ଆଜି ମଧ୍ୟ ଦେଖିବାକୁ ମିଳୁଛି। ଦେଶ ବିଦେଶରୁ ଏଠାକୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି ସେମାନେ ନିଶ୍ଚୟ ଧଉଳିର ଏହି ଶାନ୍ତି ସ୍ତୁପରୁ ଅହିଂସା, ଶାନ୍ତି ଓ ଦିବ୍ୟତ୍ବର ଅନୁଭବ ନେଇ ଫେରନ୍ତି। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ପ୍ରସିଦ୍ଧି ଅର୍ଜନ କରିଛି। ଧଉଳି ସ୍ତୁପ ଏହି ଶାନ୍ତିପ୍ରିୟ ମନୋଭାବର ପ୍ରତୀକ। ଧଉଳି ହୁଏତ ବୌଦ୍ଧ ଧର୍ମର ଏକ କୀର୍ତ୍ତିରାଜି ହୋଇପାରେ କିନ୍ତୁ ଏହା ଓଡିଆ ଭାଷା, ସଂସ୍କୃତି ଓ ପରମ୍ପରା ସହିତ ଏପରି ଭାବେ ସମ୍ମିଳିତ ହୋଇଯାଇଛି ଯେ ରାଜ୍ୟବାସୀ ଏହାକୁ ନିଜ ସଂସ୍କୃତିର ଏକ ଅଙ୍ଗଭାବେ ମାନି ନେଇଛନ୍ତି।