ସାମାନ୍ୟ ତରକାରୀକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। ରାତିରେ ଶୋଇଥିବା ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନେଇ ସ୍ୱାମୀ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଏଭଳି ଏକ ଛାତିଥରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ପଦୁଗୁଡ଼ା ଗାଁରେ।ମୃତ ମହିଳା ହେଲେ ୩୨ ବର୍ଷୀୟା କବିତା ସାଉଁତା। ସ୍ୱାମୀଙ୍କ ନାମ ରାବ ସାଉଁତା।
ସୂଚନା ଅନୁଯାୟୀ, ସାମାନ୍ୟ ତରକାରୀକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ବିଳମ୍ବିତ ରାତିରେ କବିତା ଶୋଇଥିବା ସମୟରେ ସ୍ୱାମୀ ରାବ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ କବିତାଙ୍କ ମୃତ୍ୟୁ ଘଟିଥିଲା। ଦୀର୍ଘ ୧୫ ବର୍ଷର ସଂସାର ଓ ବୈବାହିକ ସମ୍ପର୍କ ମୁହୂର୍ତ୍ତକର ଉତ୍ତେଜନାରେ ରକ୍ତରଞ୍ଜିତ ହୋଇପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଏସ୍ଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀ ରାବ ସାଉନ୍ତାକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।
