ଆୟୁଷ୍ମାନ ଭାରତ ଯୋଜନାର ପରିସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏହି ସ୍ଵାସ୍ଥ୍ୟ ବୀମା ଯୋଜନାରେ ସରକାର ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ସାମିଲ କରିଛନ୍ତି। ଏହାଦ୍ବାରା ଦେଶର ପ୍ରାୟ ସାଢ଼େ ୪ କୋଟି ପରିବାରର ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଏହା ପୂର୍ବରୁ ୧୨.୩ କୋଟି ପରିବାରକୁ ଏହି ଯୋଜନାର ଲାଭ ମିଳୁଥିଲା । ଆୟୁଷ୍ମାନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସହାୟତା ମିଳିପାରିବ । କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏ ସମ୍ପର୍କିତ ନିଷ୍ପତ୍ତି ଘୋଷଣା କରି କହିଛନ୍ତି, ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସ୍କ ଲୋକଙ୍କୁ ସାମିଲ କରାଯାଇଛି। ସେମାନେ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ। ବରିଷ୍ଠ ନାଗରିକମାନେ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବାକୁ ହେବ।