ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯିବା ପରେ ତେଲଙ୍ଗାନା ହାଇକୋର୍ଟରୁ ପାଇଛନ୍ତି ଅନ୍ତରୀଣ ଜାମିନ। ନାମପଲ୍ଲୀ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ତେବେ ଏସବୁ ଖବର ଭିତରେ ଅଲ୍ଲୁ ଅର୍ଜୁନଙ୍କ ‘ଲୋକ ସଂପର୍କ ଟିମ୍’ ଦାବି କରିଛି ଯେ ମୃତ ମହିଳାଙ୍କ ସ୍ବାମୀ ମାମଲା ପ୍ରତ୍ୟାହାର କରିଛନ୍ତି।ସୂଚନାମୁତାବକ ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା-୨’ ସ୍କ୍ରିନିଂ ଅବସରରେ ସାମିଲ ହୋଇଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ମାତ୍ରାଧିକ ଭିଡ଼ ଯୋଗୁ ଠେଲାପେଲା ହୋଇଥିଲା ଓ ଦଳଚକଟା ହୋଇଥିଲା। ଏହି ସମୟରେ ତଳେ ପଡ଼ି ଅଣନିଃଶ୍ୱାସୀ ହୋଇଯାଇଥିଲେ ୩୯ ବର୍ଷୀୟା ମହିଳା ରେବତୀ। ସେ ଓ ତାଙ୍କର ୮ ବର୍ଷର ପୁଅଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରେବତୀଙ୍କର ମୃତ୍ୟୁ ହୋଇଯାଇଥିଲା।
ରେବତୀଙ୍କ ସ୍ୱାମୀ ଭାସ୍କର ଏହି ଘଟଣା ନେଇ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗ ପାଇ ପୁଲିସ ଭାରତୀୟ ନ୍ୟାୟ ସଂହିତା(BNS)ର ବିଭିନ୍ନ ଧାରା ଲଗାଇ ମାମଲା ରୁଜୁ କରିଥିଲା।