ବନ୍ୟା ଅଞ୍ଚଳରେ କାମ କରିବେ ଓଏଏସ୍ ଅଧିକାରୀ । ବୈଠକ ପରେ ସଙ୍ଘ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।ରଥଯାତ୍ରାରେ ମଧ୍ୟ ନିଜ କାର୍ଯ୍ୟ ସମ୍ପାଦନ ମଧ୍ୟ କରିବେ ବୋଲି ସଙ୍ଘ କହିଛି । ଆଜି ସଂଘ ଏକ ବୈଠକ କରି ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦେଇଛି । ସେମାନଙ୍କର ଦାବି ହେଉଛି, ଅଫିସରଙ୍କୁ ସୁରକ୍ଷା ଦିଆଯାଉ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଏବଂ ସର୍ବୋପରି ରାଜ୍ୟ ସରକାର ଘଟଣାକୁ ନିନ୍ଦା କରନ୍ତୁ ବୋଲି ଦାବି ରଖିଛି ଓଏଏସ୍ ସଂଘ । ମାଡ଼ ଘଟଣା ପରେ ସମୂହ ଛୁଟିରେ ଅଛନ୍ତି ଓଏଏସ୍ ଅଧିକାରୀ ।ସଙ୍ଘ ସଭାପତି କହିଛନ୍ତି, ଆମର ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ଅଛି । ସେ ନିଶ୍ଚିତ ଆକ୍ସନ ନେବେ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛୁ ସେ ସଙ୍ଗେ ସଙ୍ଗେ ଅଭିଯୁକ୍ତଙ୍କୁ ଗିରଫ କରାଇଛନ୍ତି । କିନ୍ତୁ ଆମେ ଦାବି କରୁଛୁ, ଯିଏ ଏହି ଘଟଣା ପଛରେ ରହିଛି ତା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ । ସରକାରଙ୍କ ନିଷ୍ପତ୍ତିକୁ ଆମେ ଅପେକ୍ଷା କରିଛୁ । କିନ୍ତୁ ବର୍ତ୍ତମାନ ଆମ ଆନ୍ଦୋଳନ ଜାରି ରହିବ । ରାଜ୍ୟର ପ୍ରାୟ ୧୫ କର୍ମଚାରୀ ସଂଘ ପକ୍ଷରୁ ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ନିନ୍ଦା କରାଯାଇଛି । ଏହାର ପ୍ରଭାବ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଅଫିସ୍ରେ ନାହାନ୍ତି ଅଫିସର , ସବୁ ଅଫିସ୍ ଏବେ ଖାଁ ଖାଁ । ଦୁଇ ଦିନ ହେବ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟରେ ଏଭଳି ସ୍ଥିତି । ଅଫିସ୍ ଆଗରେ ବିଭିନ୍ନ କାମ ପାଇଁ ଲୋକଙ୍କ ଗହଳି ଲାଗୁଛି । ମାତ୍ର ଶାସନ ବ୍ୟବସ୍ଥା ଠପ୍ ହୋଇପଡ଼ିଛି ।